ନୂଆଦିଲ୍ଲୀ,୯।୯: ଅଜିତ ପାଓ୍ବାର ରାଷ୍ଟ୍ରୀୟତାବାଦୀ କଂଗ୍ରେସ(ଏନ୍ସିପି)ର ଜାତୀୟ ଅଧ୍ୟକ୍ଷ ନୁହଁନ୍ତି ଏବଂ ତାଙ୍କ ନିଯୁକ୍ତି ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ ନିର୍ବାଚନ କମିଶନଙ୍କୁ ଜଣାଇଛି। ଅଜିତ ଗ୍ରୁପ ଏନସିପିର ଦଳୀୟ ଚିହ୍ନ ଜାରି କରିବା ଲାଗି କେନ୍ଦ୍ର ନିର୍ବାଚନ କମିଶନଙ୍କ ନିକଟରେ ଆବେଦନ କରିଥିଲେ। ଏହାପରେ ନିର୍ବାଚନ କମିଶନ ଶରଦ ଗ୍ରୁପକୁ ଏନେଇ ନିଜର ପ୍ରତିକ୍ରିୟା ରଖିବାକୁ ନିର୍ଦ୍ଦେଶ ଦେଇଥିଲେ। ଦଳର ସମ୍ବିଧାନ ବିଧାୟକମାନଙ୍କୁ ଦଳୀୟ ମୁଖ୍ୟ ଚୟନ କରିବାର ଅଧିକାର ଦେଇନାହିଁ। ତେବେ ଅଜିତ ପାଓ୍ବାର ତାଙ୍କର କିଛି ଆନୁଗତ୍ୟ ବିଧାୟକଙ୍କ ସ୍ବାକ୍ଷର ଜରିଆରେ ନିଜକୁ ଦଳୀୟ ମୁଖ୍ୟ ବୋଲି ପ୍ରତିପାଦନ କରିଛନ୍ତି। ତେଣୁ ଏହା ଅସାମ୍ବିଧାନିକ ବୋଲି ଶରଦ ପାଓ୍ବାର ଗ୍ରୁପ, ନିର୍ବାଚନ କମିଶନଙ୍କୁ ଜଣାଇଛି। ଚଳିତ ବର୍ଷ ପ୍ରଥମାର୍ଦ୍ଧରେ ଅଜିତ ତାଙ୍କ ଦାଦା ଶରଦଙ୍କ ବିରୋଧରେ ବିଦ୍ରୋହ କରିବା ସହ କିଛି ବିଧାୟକଙ୍କୁ ନେଇ ଭାଜପା-ଶିବସେନା(ଏକନାଥ ଗ୍ରୁପ) ସରକାରର ଅଂଶୀଦାର ଭାବେ ଯୋଗଦେଇଥିଲେ। ଏହାପରେ ଅଜିତ ଏକ ଜାତୀୟ ସମ୍ମିଳନୀ କରିଥିଲେ। ତେବେ ଏନେଇ ସେ କୌଣସି ନୋଟିସ ଜାରି କରିନଥିଲେ କିମ୍ବା କୌଣସି ରିଟର୍ନିଂ ଅଫିସରଙ୍କୁ ମଧ୍ୟ ନିଯୁକ୍ତ କରିନଥିଲେ ବୋଲି ଶରଦ ଗ୍ରୁପ ଅଭିଯୋଗ କରିଛି। ଅଜିତ ୪୦ ଜଣ ବିଧାୟକଙ୍କୁ ନେଇ ଶାସକ ଦଳ ସହ ହାତ ମିଳାଇଥିଲେ। ଏବେ ସେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ ହୋଇଛନ୍ତି। ଦଳ ବିରୋଧୀ କାର୍ଯ୍ୟ କରିଥିବାରୁ ୨୯ ଜଣ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରାଯାଉ ବୋଲି ଶରଦ ଗ୍ରୁପ ସେପ୍ଟେମ୍ବର ୫ରେ ଏକ ପିଟିଶନ ଦାଖଲ କରିଥିଲେ। ଏହାପରେ ଶରଦ ଗ୍ରୁପ ଯେଉଁ ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ଲାଗି ପିଟିଶନ ଦାଖଲ କରାଯାଇଛି ସେମାନଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣବେଳେ ଗଣାଯିବ ନାହିଁ ବୋଲି ଏକ ଶ୍ୱେତପତ୍ର ଦାଖଲ କରିଥିଲେ।