ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ମୃତ୍ୟୁ ମାମଲାରେ ଗାୟକ ସମର ସିଂ ଗିରଫ

ଗାଜିଆବାଦ,୭।୪: ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ହତ୍ୟା ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଙ୍ଗର ସମର ସିଂଙ୍କୁ ଉତ୍ତର ପ୍ରଦେଶ ପୋଲିସ ଗିରଫ କରିଛି। ପୋଲିସ ସମର ସିଂଙ୍କୁ ଗାଜିଆବାଦର ନନ୍ଦଗ୍ରାମ ଥାନା ଅଞ୍ଚଳରୁ ଗୁରୁବାର ରାତିରେ ଗିରଫ କରିଛି। ଗାଜିଆବାଦ ପୋଲିସ ଡିସିପି ନିପୁଣ ଅଗ୍ରଓ୍ବାଲଙ୍କ ସୂଚନା ଅନୁଯାୟୀ, ସମର ସିଂଙ୍କୁ ଚାର୍ମସ କ୍ରିଷ୍ଟଲ ସୋସାଇଟି ରାଜନଗର ଏକ୍ସଟେନସନରୁ ଗିରଫ କରାଯାଇଛି।
ସମର ସିଂଙ୍କୁ ଗିରଫ କରିବାକୁ ଗଠନ କରାଯାଇଥିବା ଟିମରେ ସାମିଲ ଥିବା ଆଶାପୁର ଚୌକି ଇନଚାର୍ଜ ଅଖିଳେଶ ବର୍ମା କହିଛନ୍ତି, ଏହି ଥାନା ନନ୍ଦଗ୍ରାମ ଅଞ୍ଚଳରେ ଆସୁଛି। ସେ କହିଛନ୍ତି ସମର ସିଂଙ୍କୁ ପ୍ରଥମେ ପୋଲିସ ଗାଜିଆବାଦ କୋର୍ଟରେ ହାଜର କରିବ ଏହାପରେ ବାରାଣସୀ ପୋଲିସକୁ ହସ୍ତାନ୍ତର କରି ଦିଆଯିବ। ଏବେ ସମର ସିଂଙ୍କୁ ଗାଜିଆବାଦର ନନ୍ଦ ଗ୍ରାମ ଥାନାରେ ରଖାଯିବ।
ସୂଚନାଯୋଗ୍ୟ,ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେଙ୍କ ମୃତଦେହ ସାରନାଥର ଏକ ହୋଟେଲରୁ ପଙ୍ଖାରେ ଝୁଲୁଥିବା ଅବସ୍ଥାରେ ୨୬ ମାର୍ଚ୍ଚରେ ମିଳିଥିଲା। ଏହି ମାମଲାରେ ମୃତ ଅଭିନେତ୍ରୀଙ୍କ ମାଆ ମଧୁଙ୍କ ଅଭିଯୋଗ କ୍ରମେ ପୋଲିସ ଆଜମଗଡ଼ ନିବାସି ସମର ସିଂ ଓ ସଞ୍ଜୟ ସିଂଙ୍କ ବିରୋଧରେ ଧାରା ୩୦୬ ଆଇପିସି ଆଧାରରେ ମାମାଲା ରୁଜୁ କରିଥିଲା।

Share