ନୂଆଦିଲ୍ଲୀ,୨।୩: ଦେଶର ପ୍ରମୁଖ ଘରୋଇ ବିମାନ ସେବା ପ୍ରଦାନକାରୀ କମ୍ପାନୀ ଆକାଶ ଏୟାର ନୂତନ ବିମାନ କ୍ରୟ କରିପାରେ ବୋଲି କୁହାଯାଉଛି। ଏପରିକି କମ୍ପାନୀ ଚଳିତ ମାସରେ ଏକ ବଡ଼ ଆକାରରେ ବିମାନ ଅର୍ଡର ଦେବାକୁ ଯୋଜନା କରୁଛି ବୋଲି ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ କମ୍ପାନୀର ସିଇଓ ବିନୟ ଦୁବେ କହିଛନ୍ତି, ଖୁବ୍ଶୀଘ୍ର କମ୍ପାନୀ ଶତାଧିକ ଏୟାରକ୍ରାଫ୍ଟ ଅର୍ଡର ଦେବ। ଏହା ସହ ଏୟାରଲାଇନ୍ସର ଇଣ୍ଟରନ୍ୟାଶନାଲ ପ୍ଲାନ୍ ବିଷୟରେ ବିସ୍ତୃତ ସୂଚନା ଦେଇଛନ୍ତି। ସେହିଭଳି କମ୍ପାନୀ ୨୦୨୩ ଶେଷ ସୁଦ୍ଧା ଅନ୍ତର୍ଜାତୀୟ ସେବା ଆରମ୍ଭ କରିବ। ସୂଚନାଯୋଗ୍ୟ, କମ୍ପାନୀ ୧୦୦ରୁ ଊର୍ଦ୍ଧ୍ୱ ପ୍ରିମିୟମ୍ ବିମାନ କ୍ରୟ ପାଇଁ ଏକ ବହୁରାଷ୍ଟ୍ରୀୟ ବିଦେଶୀ କମ୍ପାନୀ ସହ ଆଲୋଚନା କରୁଥିବା ଜଣାପଡ଼ିଛି। ସେହିଭଳି ନିକଟରେ କମ୍ପାନୀ ନୂଆ ବିମାନ କିଣିବା ପରିପ୍ରେକ୍ଷୀରେ ୩୦୦ ପାଇଲଟ୍ ଏବଂ ୩୫୦୦ କ୍ରିୟୁ ମେମ୍ବର ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଥିବା ଜଣାପଡ଼ିଛି।