ନୂଆଦିଲ୍ଲୀ,୨୯।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ମୁକୁଟ ପିନ୍ଧିଥିବା ନ୍ୟୁଜିଲାଣ୍ଡକୁ ଟକ୍କର ଦେବା ପାଇଁ ବିଶ୍ୱ ଟେଷ୍ଟ ଏକାଦଶ ବାଛିଛନ୍ତି ପୂର୍ବତନ କ୍ରିକେଟର ତଥା ଭାଷ୍ୟକାର ଆକାଶ ଚୋପ୍ରା। ଏହି ଦଳରେ ସେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ବିବେଚିତ ହେଉଥିବା ବିରାଟ କୋହଲିଙ୍କୁ ସ୍ଥାନ ଦେଇ ନାହାନ୍ତି। ଆକାଶଙ୍କ ବିଶ୍ୱ ଟେଷ୍ଟ ଏକାଦଶ ଦଳରେ ସ୍ଥାନ ପାଇଛନ୍ତି କେବଳ ୩ ଭାରତୀୟ। ସେମାନେ ହେଲେ ରୋହିତ ଶର୍ମା, ରବିଚନ୍ଦ୍ରନ ଅଶ୍ୱିନ ଓ ରିଷଭ ପନ୍ତ।
ବ୍ୟାଟିଂ କ୍ରମର ଚତୁର୍ଥ କ୍ରମରେ କୋହଲିଙ୍କ ବଦଳରେ ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ବାଛିଛନ୍ତି। ମୁଁ ଦଳରେ ରୁଟଙ୍କୁ ରଖିଛି। କୋହଲି ଓ ପାକିସ୍ତାନ ଅଧିନାୟକ ବାବର ଆଜାମ ସ୍ଥାନ ପାଇ ନାହାନ୍ତି। କାରଣ ଦୁଇ ବର୍ଷ ଧରି ଖେଳାଯାଇଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ରେ ସେ ୧୬୬୦ ରନ୍ କରିଛନ୍ତି। ସେ ଅପେକ୍ଷାକୃତ ଅଧିକ ମ୍ୟାଚ୍ ଖେଳିଥିଲେ। କିନ୍ତୁ ତାଙ୍କ ନାମରେ ଭାରତ ଓ ଶ୍ରୀଲଙ୍କାରେ ଦ୍ୱିଶତକ ରହିଛି ବୋଲି ନିଜ ୟୁଟ୍ୟୁବ ଚାନେଲରେ କହିଛନ୍ତି ଆକାଶ।
ଓପନିଂ ସ୍ଲଟ ପାଇଁ ରୋହିତଙ୍କ ସହ ବାଛିଛନ୍ତି ଶ୍ରୀଲଙ୍କାର ଦିମ୍ୟୁଥ କରୁଣାରତ୍ନେଙ୍କୁ। ୩ୟ ଓ ୫ମ ସ୍ଲଟ ଲାଗି ଅଷ୍ଟ୍ରେଲିଆର ମାର୍ନସ ଲାବୁସେନ ଓ ଷ୍ଟିଭ ସ୍ମିଥଙ୍କୁ ଦଳ ଯାଗା ଦେଇଛନ୍ତି। ବିଶ୍ୱ ଶ୍ରେଷ୍ଠ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କ ବଦଳରେ ନେଇଛନ୍ତି ବେନ ଷ୍ଟୋକ୍ସଙ୍କୁ। ସେହିଭଳି କ୍ୱିଣ୍ଟନ ଡି’ କକ୍ଙ୍କ ଭଳି ଅଭିଜ୍ଞ ଉଇକେଟକିପର ବ୍ୟାଟ୍ସମ୍ୟାନଙ୍କ ସ୍ଥାନରେ ରିଷଭ ପନ୍ତଙ୍କୁ ବାଛିଛନ୍ତି ପୂର୍ବତନ ଓପନର। ନ୍ୟୁଜିଲାଣ୍ଡ ପିଚ୍କୁ ଦୃଷ୍ଟିରେ ରଖି ବୋଲିଂ ବିଭାଗରେ ପାଟ କୁମିନ୍ସ, ଷ୍ଟୁଆର୍ଟ ବ୍ରଡ ଓ ଜୋଶ ହେଜଲଉଡଙ୍କୁ ସ୍ଥାନ ଦେଇଛନ୍ତି।
ଆକାଶ ଚୋପ୍ରାଙ୍କ ବିଶ୍ୱ ଟେଷ୍ଟ ଏକାଦଶ : ରୋହିତ ଶର୍ମା, ଦିମୁଥ କରୁଣାରତ୍ନେ, ମାର୍ନସ ଲାବୁସେନ, ଜୋ ରୁଟ (ଅଧିନାୟକ), ଷ୍ଟିଭ ସ୍ମିଥ, ବେନ ଷ୍ଟୋକ୍ସ, ରିଷଭ ପନ୍ତ (ଉଇକେଟକିପର), ରବିଚନ୍ଦ୍ରନ ଅଶ୍ୱିନ, ପାଟ କୁମିନ୍ସ, ଷ୍ଟୁଆର୍ଟ ବ୍ରଡ୍ ଓ ଜୋସ ହାଜେଲଉଡ୍।