Categories: ବାଣିଜ୍ୟ

ରିଲାଏନ୍ସ ବୋର୍ଡରେ ଆକାଶ, ଈଶା, ଅନନ୍ତ

ନୂଆଦିଲ୍ଲୀ,୨୯।୮: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଲିମିଟେଡ୍‌ (ଆରଆଇଏଲ)ର ୪୬ ତମ ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ) ସୋମବାର ମୁମ୍ବାଇଠାରେ ଆୟୋଜିତ ହୋଇଯାଇଛି। ଉକ୍ତ ବୈଠକରେ ଆରଆଇଏଲର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ କମ୍ପାନୀ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ନୂତନ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି। ବିଶେଷ କରି ଆରଆଇଏଲ ବୋର୍ଡରେ ଈଶା ଏମ୍‌ ଅମ୍ବାନୀ, ଆକାଶ ଏମ୍‌ ଅମ୍ବାନୀ ଏବଂ ଅନନ୍ତ ଏମ୍‌ ଅମ୍ବାନୀଙ୍କୁ ସାମିଲ କରାଯାଇଥିବାବେଳେ ନୀତା ଅମ୍ବାନୀ ବୋର୍ଡରୁ ଅବସର ନେଇଛନ୍ତି ବୋଲି ମୁକେଶ ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ସେହିଭଳି ବୋର୍ଡର ଅନ୍ୟ ଅଂଶୀଦାରଙ୍କ ଅନୁମୋଦନ ପରେ ରିଲାଏନ୍ସ ଇଣ୍ଡିଆର ଅଣ-କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବେ ଈଶା ଏମ୍‌ ଅମ୍ବାନୀ, ଆକାଶ ଏମ୍‌ ଅମ୍ବାନୀ ଏବଂ ଅନନ୍ତ ଏମ୍‌ ଅମ୍ବାନୀଙ୍କୁ ବୋର୍ଡରେ ସାମିଲ (ନିଯୁକ୍ତ) କରିବାକୁ ବୋର୍ଡ ବିଚାର କରିଥିଲା। ଏପରିକି ବୋର୍ଡର ଉକ୍ତ ପ୍ରସ୍ତାବରେ ଅଂଶୀଦାରମାନେ ସହମତି ପ୍ରକାଶ କରିବା ପରେ ଇଶା,ଆକାଶ ଓ ଅନନ୍ତ ବୋର୍ଡରେ ସାମିଲ ହୋଇଥିଲେ ବୋଲି ଆରଆଇଏଲ ପକ୍ଷରୁ କୁହାଯାଇଛି। ଅପରପକ୍ଷରେ ନୀତା ଅମ୍ବାନୀ ବୋର୍ଡରୁ ଇସ୍ତଫା ଦେଇଥିବାବେଳେ ସେ ରିଲାଏନ୍ସ ଫାଉଣ୍ଡେଶନର ଚେୟାରମ୍ୟାନ ରହିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ଭବିଷ୍ୟତରେ ଇଶା, ଆକାଶ ଓ ଅନନ୍ତ ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ନେତୃତ୍ୱ ନେବେ ବୋଲି କୁହାଯାଉଛି।

Share