ନୂଆଦିଲ୍ଲୀ,୩୦।୯:ରିଲାଏନ୍ସ ଜିଓର ଅଧ୍ୟକ୍ଷ ଆକାଶ ଅମ୍ବାନୀଙ୍କୁ ଏକ ସମ୍ମାନଜନକ ସ୍ବୀକୃତି ମିଳିଛି। ବିଶେଷକରି ଲୋକପ୍ରିୟ ଟାଇମ୍ ପତ୍ରିକା ପକ୍ଷରୁ ‘ଟାଇମ୍ ୧୦୦ ନେକ୍ସଟ’ ତାଲିକାରେ ଆକାଶଙ୍କୁ ‘ଲିଡର୍ସ’ ବର୍ଗରେ ସାମିଲ କରାଯାଇଛି। ଏପରିକି ଆକାଶ ଅମ୍ବାନୀଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ, ଆକାଶ ପାରିବାରିକ ବ୍ୟବସାୟ ବଢ଼ାଇବା ପାଇଁ କଠିନ ପରିଶ୍ରମ କରୁଛନ୍ତି। ନିକଟରେ ଗୁଗଲ୍ ଓ ଫେସ୍ବୁକ୍ ସହ ବିଲିଅନ ଡଲାରର ନିବେଶ ଡିଲ୍ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି। ସେହିଭଳି ଟାଇମ୍ ୧୦୦ ନେକ୍ସଟରେ ଏକମାତ୍ର ଭାରତୀୟ ଭାବେ ଆକାଶ ଅମ୍ବାନୀ ସାମିଲ ହୋଇଛନ୍ତି। ଅପରପକ୍ଷରେ ବିଶ୍ୱର ଉଦୀୟମାନ ତାରକା ଆକାଶଙ୍କ ବିଷୟରେ ଟାଇମ୍ ପତ୍ରିକା ପକ୍ଷରୁ କୁହାଯାଇଛି ଯେ ମାତ୍ର ୨୨ବର୍ଷ ବୟସରେ ଆକାଶଙ୍କୁ ଜିଓ ବୋର୍ଡରେ ସ୍ଥାନ ମିଳିଥିଲା। ସେହିପରି ଚଳିତ ବର୍ଷ ଜୁନ୍ ମାସରେ ଆକାଶଙ୍କୁ ବିଶ୍ୱର ସବୁଠୁ ବଡ଼ ଟେଲିକମ୍ କମ୍ପାନୀ ଜିଓର ନେତୃତ୍ୱ ଭାର ମଧ୍ୟ ପ୍ରଦାନ କରାଯାଇଛି। ସୂଚନାଯୋଗ୍ୟ, ୪୨କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଗ୍ରାହକ ଥିବା କମ୍ପାନୀ ରିଲାଏନ୍ସ ଜିଓକୁ ସମ୍ଭାଳିବାର ଗୁରୁଦାୟିତ୍ୱ ବର୍ତ୍ତମାନ ଆକାଶଙ୍କ ଉପରେ ରହିଛି। ଉଲ୍ଲେଖଯୋଗ୍ୟ, ଟାଇମ୍ ପତ୍ରିକା ପ୍ରତିବର୍ଷ ‘ଟାଇମ୍ ୧୦୦ ନେକ୍ସଟ୍’ ତାଲିକା ପ୍ରକାଶ କରୁଛି। ଉକ୍ତ ତାଲିକାରେ ଦେଶ ଦୁନିଆ ବ୍ୟତୀତ ଉଦ୍ୟୋଗ ଜଗତର ୧୦୦ ଉଦୀୟମାନ ତାରକାଙ୍କୁ ମଧ୍ୟ ସାମିଲ କରାଯାଇଥାଏ।