ଜେଲ ଫେରିଲେ ଆକାଶ, ପ୍ରଦୀପଙ୍କୁ ମାରାଥନ ଜେରା

ଭୁବନେଶ୍ୱର,୧୭।୧୨ (ବ୍ୟୁରୋ):ଆଇଏଫ୍‌ଏସ୍‌ ଅଧିକାରୀ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ଶେଷ ହୋଇଛି। ବୁଧବାର କ୍ରାଇମବ୍ରାଞ୍ଚ ତାଙ୍କୁ ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ହାଜର କରିବା ପରେ ଝାରପଡାସ୍ଥିତ ସ୍ବତନ୍ତ୍ର ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଟାଟା ମୋଟର୍ସ ନାଁରେ ନିଯୁକ୍ତି ଜାଲିଆତି ଓ ଠକେଇ ମାମଲାରେ ସେ ଜେଲ ଯାଇଥିବାବେଳେ ରିମାଣ୍ଡ ସମୟରେ ଏ ସଂକ୍ରାନ୍ତରେ କ୍ରାଇମବ୍ରାଞ୍ଚ ଅଧିକାରୀମାନେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହି ମାମଲା ସହ ବେଆଇନ ଅର୍ଥ କାରବାର ଘଟଣାରେ ଗିରଫ ହୋଇ ଜେଲ ଯାଇଥିବା ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ କ୍ରାଇମବ୍ରାଞ୍ଚ ମଙ୍ଗଳବାରଠାରୁ ୨ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି। ଟାଟା କମ୍ପାନୀରେ ଚାକିରି ନାଁରେ ଠକେଇ ସହ ଅନ୍ୟ ବେଆଇନ ଅର୍ଥ କାରବାରକୁ ନେଇ କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁର ଏକ ସ୍ବତନ୍ତ୍ର ଟିମ୍‌ ପ୍ରଦୀପଙ୍କୁ ଦ୍ୱିତୀୟ ଦିନରେ ମାରାଥନ ଜେରା କରିଛି। ଠକେଇର ଶିକାର ଯୁବତୀଯୁବକ ଦେଇଥିବା ବୟାନ ଆଧାରରେ ତଥ୍ୟ ହାସଲ ପାଇଁ ଉଦ୍ୟମ କରୁଛି କ୍ରାଇମବ୍ରାଞ୍ଚ। ମଙ୍ଗଳବାର ମଧ୍ୟ ଏ ସଂକ୍ରାନ୍ତରେ ପ୍ରଦୀପ ଓ ଆକାଶଙ୍କୁ ମୁହଁାମୁହିଁ ଜେରା କରାଯାଇଥିଲା। ଉଭୟଙ୍କଠାରୁ ମିଳିଥିବା ସୂଚନାକୁ ଆଧାର କରି କ୍ରାଇମବ୍ରାଞ୍ଚର ଏକ ସ୍ବତନ୍ତ୍ର ଟିମ୍‌ ବ୍ରହ୍ମପୁରରେ ତଦନ୍ତକୁ ତ୍ୱରାନ୍ବିତ କରିଛି।

Share