ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଲମ୍ବା ଧାଡ଼ିରେ ଭକ୍ତ

ଆରଡ଼ି,୧।୩,(ଡି.ଏନ୍‌.ଏ.): ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିରେ ମହାଶିବରାତ୍ରି ଅବସରରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି। ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ଆଦି ୪ ପଞ୍ଚାୟତର ଅଧିବାସୀ ଲମ୍ବା ଲାଇନରେ ଆସି ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ କରିଥିଲେ । ଭୋର୍‌ ୪ ଟାରେ ମଙ୍ଗଳ ଆଳତି, ସାଢେ ୪ଟାରେ କନିକା ରାଜାଙ୍କ ପହିଲି ଘର୍ଷଣ ଭୋଗ ଲାଗି ପରେ ୫ଟାରେ ସାହାଣମେଲା କରାଯାଇ ଭକ୍ତଙ୍କୁ ଦର୍ଶନ କରିବାର ସୁଯୋଗ ଦିଆଯାଇଥିଲା । ପରେପରେ ଅନ୍ୟାନ୍ୟ ନୀତିକାନ୍ତି ଯଥାରୀତି ସମ୍ପନ୍ନ କରାଯାଇଥିଲା । ଭକ୍ତମାନଙ୍କ ହରିବୋଲ, ହୁଳାହୁଳି ଓଁ ଓଁ ନମୋଶିବାୟ ଧ୍ବନିରେ ପୀଠ ପ୍ରକମ୍ପିତ ହୋଇଥିଲା । ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ, ସହ ପରିଚାଳକ ସୁଧାକର ବିଶ୍ବାଳ, ଜିଲା ସୂଚନା ଅଧିକାରୀ ରମେଶ ଚନ୍ଦ୍ର ନାୟକ ପୀଠରେ ଉପସ୍ଥିତ ରହିଛନ୍ତି । ଧୂଷୁରୀ ଥାନା ସବ୍‌ ଇନିସପେକ୍ଟର ମହାପ୍ରସାଦ ନାୟକ, ଆରଡି ଫାଣ୍ଡି ଅଧିକାରୀ ବୈଦ୍ୟନାଥ ସୋରେନ ପୀଠରେ ଉପସ୍ଥିତ ରହି ଭିଡ ନିୟନ୍ତ୍ରଣ କରିଥିଲେ । ମଠଡିହ ଠାରୁ ପୋଲିସ ଆଧାରକାର୍ଡ ଦେଖି ଭକ୍ତମାନଙ୍କୁ ପୀଠକୁ ଛାଡିଥିଲେ । ବାହାରୁ ଆସିଥିବା ବହୁଭକ୍ତ ପୀଠକୁ ଆସି ନ ପାରି ନିରାଶ ହୋଇ ଫେରିଥିଲେ ।