ଆଖଣ୍ଡଳମଣି ପୀଠ ଚଳଚଞ୍ଚଳ: ଆଜି ମଙ୍ଗନ, କାଲି ବାହାଘର

ଭଦ୍ରକ,୧୦ା୬(ସନାତନ ରାଉତ): ଆରଡିପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ପ୍ରସିଦ୍ଧ ଶିବବିବାହ ପାଇଁ ଉତ୍ସବମୁଖର ହୋଇ ଉଠିଛି ସମଗ୍ର ପୀଠ। ମନ୍ଦିର ପରିସର ଓ ପୀଠକୁ ରଙ୍ଗିନ ଆଲୋକରେ ସୁସଜ୍ଜିତ କରାଯାଇଥିବା ବେଳେ ଫୁଲରେ ସଜ୍ଜିତ କରାଯିବ ମନ୍ଦିର ପରିସରକୁ।

ସୋମବାର ବୈଦିକ ରୀତିନୀତି ଅନୁଯାୟୀ, ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଦେବଦମ୍ପତିଙ୍କର ମଙ୍ଗଳପାଗ ନୀତି ସମ୍ପନ୍ନ କରାଯିବ। ଏଥିପାଇଁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ମଙ୍ଗଳବାର ବୈଦିକ ରୀତିନୀତି ଓ ଲୋକାଚାରରେ ଦେବଦମ୍ପତିଙ୍କ ବିବାହ ଅନୁଷ୍ଠିତ ହେବ। ଲୌକିକ ରୀତିନୀତି ଅନୁଯାୟୀ, ଦେବଦମ୍ପତିଙ୍କ ମଙ୍ଗଳପାଗ କର୍ମ ସମ୍ପନ୍ନ କରାଯାଇଛି। ଏଥିପାଇଁ ଭୋର୍‌ ୪ଟାରେ ଦ୍ବାରଫିଟା ନୀତି ପରେ ମଣିବାବାଙ୍କର ମଙ୍ଗଳ ଆଳତି, ଘର୍ଷଣଲାଗି, ଜଳାଭିଷେକ ନୀତି ସମ୍ପନ୍ନ ହେବ। ପରେ ବରପିତା ଓ କନ୍ୟାପିତାଙ୍କ ପକ୍ଷରୁ ଏକ ସୁସଜ୍ଜିତ ବିମାନରେ ମନ୍ଦିରରୁ ବାବାଙ୍କ ଚଳନ୍ତି ପ୍ରତିମା ହର, ମାତାପାର୍ବତୀଙ୍କ ଚଳନ୍ତି ପ୍ରତିମା ଗୌରୀଙ୍କୁ ନିଜ ଘରକୁ ନେଇ ଲୋକାଚାରରେ ମଙ୍ଗଳପାଗ ନୀତି ସମ୍ପନ୍ନ କରିବେ। ଏହି ବିବାହ ଉତ୍ସବରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ପାରମ୍ପରିକ ବାଦ୍ୟ ଓ ନୃତ୍ୟ କଳାକାର ସୋମବାର ଆରଡ଼ିପୀଠରେ ପହଞ୍ଚିବେ। ମଙ୍ଗଳବାର ସକାଳ ୧୦ଟାରେ ବରଧରା ଗମନ ସହ ସନ୍ଧ୍ୟାରେ ୭ଟାରେ ବରାନୁଗମନ ଶୋଭାଯାତ୍ରା ଅନୁଷ୍ଠିତ ହେବ। ତାହାସହ ଅପରାହ୍ନ ୪ ଟାରେ ମଣିବାବାଙ୍କୁ ରାଜରାଜେଶ୍ବର ବେଶ ଓ ମାତା ପାର୍ବତୀଙ୍କର ରାଜରାଜେଶ୍ବରୀ ବେଶ ଅନୁଷ୍ଠିତ ହେବ। ପରେ ଦିଅ ମଙ୍ଗୁଳା ନୀତି ଅନୁଷ୍ଠିତ ହେବ। ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି।