Categories: ଜାତୀୟ

ଅଖିଳେଶ ଆଣିଲେ ସମାଜବାଦୀ ପରଫ୍ୟୁମ୍‌…

ନୂଆଦିଲ୍ଲୀ,୯।୧୧: ଉତ୍ତରପ୍ରଦେଶରେ ଆସନ୍ତା ୨୦୨୨ ବର୍ଷରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ଦୃଷ୍ଟିରେ ରଖି ସମାଜବଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ସମାଜବାଦୀ ପରଫ୍ୟୁମ୍‌ର ଶୁଭାରମ୍ଭ କରିଛନ୍ତି। ଉତ୍ତରପ୍ରଦେଶ ନିର୍ବାଚନ ଏବେ ମହକିବ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି। ଦେଶର ୨୨ଟି ରାଜ୍ୟରୁ ସଂଗୃହିତ ପ୍ରାକୃତିକ ସୁଗନ୍ଧିତ ଅତରରୁ ଏହି ସୁଗନ୍ଧିତ ପରଫ୍ୟୁମ୍‌ ପ୍ରସ୍ତୁତ ହୋଇଛି। ଏହି ୨୨ ରାଜ୍ୟର ଅତର ଆସନ୍ତା ବର୍ଷର ବିଧାନସଭା ନିର୍ବାଚନକୁ ସୂଚିତ କରୁଥିବା ସେ କହିଛନ୍ତି। ଏବେ ରାଜ୍ୟରୁ ଦୁର୍ନୀତି ଦୁର୍ଗନ୍ଧ ହଟି ସାମାଜିକ ନ୍ୟାୟର ସୁଗନ୍ଧ ଫେରିବ ବୋଲି ଅଖିଳେଶ କହିଛନ୍ତି।

ଭାଜପା ସରକାରଙ୍କୁ ଟାର୍ଗେଟ କରି ଅଖିଳେଶ କହିଛନ୍ତି, ଜନସାଧାରଣଙ୍କୁ ହଇରାଣ କରିବା ପାଇଁ ବିମୁଦ୍ରୀକରଣ କରାଯାଇଥିଲା। ରାଜ୍ୟରେ ଭାଜପା ଶାସନରେ ଦୁର୍ନୀତି ସବୁ ସୀମା ଅତିକ୍ରମ କରିଛି।

ଅଖିଳେଶ ଯାଦବ ଅଭିଯୋଗ କରିଛନ୍ତି ଯେ ଟ୍ରିପଲ ଇଞ୍ଜିନ ସରକାର ଆଇନ ଶୃଙ୍ଖଳାକୁ ନଷ୍ଟ କରୁଛନ୍ତି। ସମସ୍ତ ଅନୁଷ୍ଠାନକୁ ଭାଙ୍ଗିବା ପାଇଁ ବିଜେପି କାର୍ଯ୍ୟ କରୁଛି, ତେଣୁ ୨୦୨୨ରେ ପରିବର୍ତ୍ତନ ଘଟିବ। ଯଦି ଉତ୍ତରପ୍ରଦେଶକୁ ଧ୍ୱଂସ କରିବାର କାର୍ଯ୍ୟ କେହି କରିଛନ୍ତି, ତେବେ ଭାଜପା କରିଥିବା ସେ କହିଛନ୍ତି।

ଏହାପୂର୍ବରୁ ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା ନକରିବାକୁ ପରାମର୍ଶ ଦେଇଥିଲେ। ଅଖିଳେଶ କହିଛନ୍ତି, ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରିବା ଉଚିତ୍‌ ନୁହେଁ। କାରଣ ସେ ଖୁବ୍‌ ଶୀଘ୍ର କ୍ଷମତାରୁ ଯାଉଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୋ ଦଳ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି କି ନାହିଁ ତାହାର ନିଷ୍ପତ୍ତି ନେବ।

ଉପ ନିର୍ବାଚନରେ ଶୋଚନୀୟ ପରାଜୟ ହେବା ପରେ ଭାଜପା ସରକାର ପେଟ୍ରୋଲ ଡିଜେଳ ଦାମ୍‌ କମାଇଛନ୍ତି। ଏହା ଆଗରୁ କାହିଁକି ହୋଇପାରୁ ନ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ଭାଜପା ନିଜର ଭାବମୂର୍ତ୍ତି ବଞ୍ଚାଇବା ଲାଗି ଏଭଳି କରୁଥିବା ସେ କହିଛନ୍ତି।

Share