ନୂଆଦିଲ୍ଲୀ,୭।୧୧: ଲୋକସଭା ନିର୍ବାଚନ ପୂର୍ବରୁ ଦେଶର ବିରୋଧୀ ଦଳ ମିଳିତ ଭାବେ ଏନଡିଏକୁ ପରାସ୍ତ କରିବାକୁ ମିଳିତ ମଞ୍ଚ ‘ଇଣ୍ଡିଆ’ ଗଠନ କରିଛନ୍ତି। କିନ୍ତୁ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ ଏହି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ଏସପି ପ୍ରାର୍ଥୀଙ୍କ ବିପକ୍ଷରେ କଂଗ୍ରେସ ପ୍ରାର୍ଥୀ ଫିଲ୍ଡ କରିବାକୁ ନେଇ ସ୍ବର ଉତ୍ତୋଳନ କରିଥିଲେ। ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସକୁ ଟାର୍ଗେଟ କରୁଥିବା ଦେଖିବାକୁ ମିଳିଛି।
ମଧ୍ୟପ୍ରଦେଶର କାଟନୀରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରିବା ସମୟରେ ସେ କେବଳ ଭାଜପା ନୁହେଁ କଂଗ୍ରେସ ଉପରେ ମଧ୍ୟ ଆକ୍ରମଣ କରିଥିଲେ। ଅଖିଳେଶ କଂଗ୍ରେସକୁ ଖୋଲା ଚ୍ୟାଲେଞ୍ଜ ଦେଇ କହିଛନ୍ତି, କଂଗ୍ରେସ ସମାଜବାଦୀ ପାର୍ଟି ବିନା ମଧ୍ୟପ୍ରଦେଶରେ ସରକାର ଗଠନ କରି ଦେଖାଉ। ଭାଜପା ଏବଂ କଂଗ୍ରେସ କେବଳ ରାଜନୀତି କରୁଛନ୍ତି, ଲୋକଙ୍କ କଥା ବୁଝିବା ପାଇଁ ସେମାନଙ୍କ ପାଖରେ ସମୟ ନାହିଁ। ଯେଉଁଠାରେ କୃଷକ, ଗରିବ, ପଛୁଆ, ଦଳିତ ଏବଂ ଆଦିବାସୀଙ୍କ ଶକ୍ତି ମିଳିତ ହୋଇଛି, ସେଠାରେ ଭାରତୀୟ ଜନତା ପାର୍ଟି ଏବଂ କଂଗ୍ରେସ ବିଲୋପ ହୋଇଯାଇଛି। ତେଣୁ ଦେଶକୁ ଏକ ନୂତନ ଆଦର୍ଶ ଆବଶ୍ୟକ, ଏକ ନୂତନ ଦଳ ଆବଶ୍ୟକ।