Categories: ଜାତୀୟ

ବିକାଶ ଦୁବେ ଏନ୍‌କାଉଣ୍ଟରରେ ପ୍ରତିକ୍ରିୟା ରଖିଲେ ଅଖିଳେଶ

ଲକ୍ଷ୍ନୌ,୧୦।୭: ଉତ୍ତରପ୍ରଦେଶ କାନପୁର ବିକରୁ ଗାଁରେ ୮ଜଣ ପୋଲିସକର୍ମଚାରୀଙ୍କ ହତ୍ୟା ପଛରେ ଥିବା ମାଷ୍ଟର ମାଇଣ୍ଡ ବିକାଶ ଦୁବେଙ୍କୁ ଗିରଫ କରାଯିବାର ଗୋଟିଏ ଦିନ ପରେ ଏନ୍‌କାଉକାଣ୍ଟର କରାଯାଇଛି। ଶୁକ୍ରବାର ମୋଷ୍ଟ ଓ୍ବାଣ୍ଟେଡ ବିକାଶ ଦୁବେଙ୍କୁ ନାଟକୀୟ ଭାବେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପୋଲିସ ଏନ୍‌କାଉଣ୍ଟର କରିଛି। ଏବେ ଏହି ଏନ୍‌କାଉଣ୍ଟରକୁ ନେଇ ଉତ୍ତରପ୍ରଦେଶ ପୋଲିସର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଥିସହ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଇତିମଧ୍ୟରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଗୁରୁବାର ପୋଲିସ ନିକଟରେ ବିକାଶ ଆତ୍ମସମର୍ପଣ କରିଥିବା ବେଳେ ସେ କାହିଁକି ଖସିପଳାଇବାକୁ ଉଦ୍ୟମ କରିବ ବୋଲି ଅଖିଳେଶ ପ୍ରଶ୍ନ କରିଛନ୍ତି। ଏଥିସହ ସେ କହିଛନ୍ତି, ଯେହେତୁ ଶାସନରେ ଥିବା ସରକାରଙ୍କ ବହୁ ନେତାଙ୍କ ସହ ବିକାଶର ସମ୍ପର୍କ ରହିଥିଲା। କାଳେ ଧରାପଡ଼ିବା ଭୟରେ ଏହି ଏନ୍‌କାଉଣ୍ଟର କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି। ତେଣୁ କାର ଓଲଟି ନାହିଁ, ସରକାରଙ୍କୁ ବଞ୍ଚାଇବା ଲାଗି ବିକାଶଙ୍କୁ ଏନକାଉଣ୍ଟର କରାଯାଇଥିବା ସେ ଅଭିଯୋଗ କରିଛନ୍ତି। କାରଣ ବିକାଶ ଜୀବିତ ଥିଲେ ସରକାର ଅଡ଼ୁଆରେ ପଡ଼ିଯାଇଥାନ୍ତେ। ତେବେ ତାଙ୍କ ମୃତ୍ୟୁ ସହ ସରକାରଙ୍କ ରହସ୍ୟ ମଧ୍ୟ ଚାଲିଗଲା ବୋଲି ଅଖିଳେଶ କହିଛନ୍ତି। ସୂଚନାଯୋଗ୍ୟ, ଶୁକ୍ରବାର ବିକାଶଙ୍କୁ ପୋଲିସ ଏକ ଗାଡ଼ିରେ ନେଇ ଯାଉଥିବାବେଳେ ତାହା ଓଲଟି ପଡ଼ିଥିଲା। ଏହାର ଫାଇଦା ଉଠାଇ ବିକାଶ ପୋଲିସଠାରୁ ବନ୍ଧୁକ ଛଡ଼ାଇ କର୍ମଚାରୀଙ୍କୁ ଗୁଳି କରି ଖସି ପଳାଉଥିଲା। ସେହ ସମୟରେ ତାଙ୍କୁ ଏନକାଉଣ୍ଟର କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି।

Share