Categories: ଜାତୀୟ

‘କିଷାନ ଯାତ୍ରା’ ଆରମ୍ଭ ପୂର୍ବରୁ ଅଖିଳେଶ ଅଟକ

ଲକ୍ଷ୍ନୌ,୭।୧୨: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଉତ୍ତରପ୍ରଦେଶ ରାଜନୀତିରେ ଉଷ୍ଣତା ବୃଦ୍ଧି ପାଇଛି। ସମାଜବାଦୀ ପାର୍ଟି ପକ୍ଷରୁ ସ୍ଥିତିରୁ ଫାଇଦା ଉଠାଇବାର ଉଦ୍ୟମ ଆରମ୍ଭ ହୋଇଛି। ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ କନୌଜରେ ‘କିଷାନ ଯାତ୍ରା’ ଆରମ୍ଭ ପାଇଁ ଯୋଜନା କରିଥିଲେ। ସୁରକ୍ଷା ବ୍ୟବସ୍ଥା ତଥା ଆଇନ ଶୃଙ୍ଖଳାକୁ ଦୃଷ୍ଟିରୁ ରଖି ଲକ୍ଷ୍ନୌ ପ୍ରଶାସନ ପକ୍ଷରୁ ଅଖିଳେଶଙ୍କ ଘର ଚାରିପଟେ ବ୍ୟାରିକେଡ଼ିଂ କରାଯାଇଥିଲା। ତେବେ ଏହାକୁ ଅମାନ୍ୟ କରି ଅଖିଳେଶ ଘର ବାହାରେ ସୋମବାର ଧାରଣାରେ ବସିଥିଲେ। ତେବେ ପୋଲିସ ତାଙ୍କୁ ନିଜ ହେପାଜତ୍‌କୁ ନେଇଛି। ଏହାପରେ ତାଙ୍କୁ ଇକୋ ଗାର୍ଡେନରେ ଅଟକ ରଖାଯାଇଛି। ଅଖିଳେଶ ଯେପରି କନୌଜ ଯାତ୍ରା ନ କରିପାରିବେ ସେଥିପାଇଁ ପୋଲିସ ପକ୍ଷରୁ ତାଙ୍କର ଗାଡ଼ିକୁ ଜବତ କରାଯାଇଛି। ସମାଜବାଦୀ ପାର୍ଟି ଅନ୍ନାଦାତାଙ୍କ ଆନ୍ଦୋଳନକୁ ସମର୍ଥନ କରୁଥିବାରୁ ସରକାର ଜାଣିଶୁଣି ଦଳୀୟ କର୍ମକର୍ତ୍ତାଙ୍କୁ ଗିରଫ କରୁଥିବା ସେ ଅଭିଯୋଗ କରିଛନ୍ତି।

Share