ବିଶ୍ୱକପ୍‌ ଫାଇନାଲ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ଖେଳାଯାଇଥିଲେ ଭାରତ ନିଶ୍ଚୟ ଜିତିଥାନ୍ତା: ଅଖିଳେଶ

ଲକ୍ଷ୍ନୌ,୨୨।୧୧: ଆଇସିସି ବିଶ୍ୱକପ୍‌ରେ ଭାରତର ପରାଜୟକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପ୍ରଶଂସକ। ହେଲେ ମ୍ୟାଚ୍‌ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିକୁ ନେଇ ଅନେକ ନେତା କଟାକ୍ଷ କରୁଥିବା ଦେଖାଯାଇଛି। ଏହି କ୍ରମରେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଭାଜପାକୁ ଟାର୍ଗେଟ କରିଛନ୍ତି। ଯଦି ଫାଇନାଲ ଅହମ୍ମଦାବାଦ ବଦଳରେ ଲକ୍ଷ୍ନୌରେ ଖେଳାଯାଇଥାନ୍ତା ତେବେ ଟିମ୍‌ ଇଣ୍ଡିଆ ନିଶ୍ଚିତ ଜିତିଥାନ୍ତା ବୋଲି ସେ କହିଛନ୍ତି।

ଉତ୍ତରପ୍ରଦେଶର ଇଟାଓ୍ବା ଜିଲାରେ ଏକ ସଭାରେ ଉଦ୍‌ବୋଧନ ଦେବା ବେଳେ ଅଖିଳେଶ କହିଛନ୍ତି, ଯେଉଁ ମ୍ୟାଚ୍‌ ଗୁଜରାଟରେ ହେଲା, ତାହା ଯଦି ଲକ୍ଷ୍ନୌରେ ହୋଇଥାନ୍ତା ତେବେ ଟିମ୍‌ ଇଣ୍ଡିଆକୁ ବହୁତ ଲୋକଙ୍କ ଆଶୀର୍ବାଦ ମିଳିଥାନ୍ତା। ଭଗବାନ ବିଷ୍ଣୁଙ୍କ ସହ ଅଟଳ ବିହାରୀ ବାଜପେୟୀଙ୍କ ଆଶୀର୍ବାଦ ପାଇ ଭାରତୀୟ ଟିମ୍‌ ବିଜେତା ହୋଇଥାନ୍ତା। ଅହମ୍ମଦାବାଦ ଷ୍ଟାଡିୟମରେ ପିଚ୍‌ ଠିକ୍‌ ନ ଥିଲା। ଫଳରେ ଖେଳାଳିଙ୍କ ପ୍ରସ୍ତୁତି ଅଧା ରହିଯାଇଥିଲା।

କହିରଖୁଛୁ, ସମାଜବାଦୀ ପାର୍ଟି ସରକାର ଲକ୍ଷ୍ନୌର କ୍ରିକେଟ ଷ୍ଟାଡିୟମର ନାମ ‘ଇକାନା ଷ୍ଟାଡିୟମ’ ରଖିଥିଲେ। ଇକାନା ଭଗବାନ ବିଷ୍ଣୁଙ୍କ ଅନେକ ନାମରୁ ଗୋଟିଏ। ତେବେ ପରେ ୨୦୧୮ରେ ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ଭାଜପାର ବରିଷ୍ଠ ନେତାଙ୍କୁ ସମ୍ମାନୀତ କରିବାକୁ ଯାଇ ଯୋଗୀ ଆଦିତ୍ୟନାଥ ସରକାର ଏହାର ନାମକୁ ବଦଳାଇ ‘ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଇକାନା କ୍ରିକେଟ ଷ୍ଟାଡିୟମ’ କରିଦେଇଥିଲେ।

Share