ଲକ୍ଷ୍ନୌ,୧୪।୧୧: ଉତ୍ତରପ୍ରଦେଶ ସରକାରଙ୍କ ବୁଲ୍ଡୋଜର କାର୍ଯ୍ୟାନୁଷ୍ଠାନକୁ ନେଇ ସୁପ୍ରିମକୋର୍ଟ ବଡ଼ ନିଷ୍ପତ୍ତି ଶୁଣାଇଛନ୍ତି। ଏହାକୁ ନେଇ ରାଜନୀତି ସରଗରମ ରହିଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ କଟାକ୍ଷ କରିଛନ୍ତି। ଯେଉଁ ଲୋକ ଘର ଭାଙ୍ଗିବା ଜାଣନ୍ତି ତାଙ୍କଠାରୁ ଆପଣ କ’ଣ ଆଶା କରିବେ। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଏଭଳି ଲୋକଙ୍କ ବୁଲଡୋଜର ସବୁଦିନ ପାଇଁ ଗ୍ୟାରେଜରେ ରହିବ। ଏବେ କୌଣସି ଗରିବର ଘର ଭାଙ୍ଗିବ ନାହିଁ ବୋଲି ଅଖିଳେଶ ଏକ ନିର୍ବାଚନୀ ସଭାରେ କହିଛନ୍ତି।
ପ୍ରକାଶ ଯେ, ଉତ୍ତରପ୍ରଦେଶରେ ବିଧାନସଭା ୯ ଆସନରେ ଉପନିର୍ବାଚନ କରାଯାଉଛି। ଏଥିରେ ଭାଜପା ଏବଂ ସମାଜବାଦୀ ପାର୍ଟି ମୁହାଁମୁହିଁ ହେଉଛନ୍ତି। ଭାଜପା ପକ୍ଷରୁ ନିର୍ବାଚନ ପ୍ରଚାର ଦାୟିତ୍ୱ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସମ୍ଭାଳିଥିବା ବେଳେ ସମାଜବାଦୀ ପକ୍ଷରୁ ଅଖିଳେଶ ଜୋର ଲଗାଇଛନ୍ତି। ଏବେ ଯୋଗୀ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ବିରୋଧରେ ନିଷ୍ପତ୍ତି ପାଇଁ ସୁପ୍ରିମକୋର୍ଟଙ୍କୁ ଶୁଭେଚ୍ଛା ଏବଂ ଧନ୍ୟବାଦ ଦେଉଛୁ ବୋଲି ସେ କହିଛନ୍ତି।