Categories: ଜାତୀୟ

ପ୍ରଥମ ଥର ଯୋଗୀଙ୍କୁ ପ୍ରଶଂସା କଲେ ଅଖିଳେଶ

ଲକ୍ଷ୍ନୌ,୨୦।୫: ସମାଜବାଦିି ପାର୍ଟି(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ କମ୍ପ୍ୟୁଟର ଜ୍ଞାନକୁ ନେଇ ସବୁବେଳେ ମୁଖ୍ୟମନ୍ତ୍ରୀଙ୍କୁ ଅପମାନିତ କରିଥାନ୍ତି। କିନ୍ତୁ ଶୁକ୍ରବାର ଅଖିଳେଶ ବିଧାନସଭାରେ ଆଶ୍ଚର୍ଯ୍ୟ ହୋଇ ଯୋଗୀଙ୍କୁ ପ୍ରଶଂସା କରିପକାଇଥିଲେ। କାରଣ ବିଧାନସଭାରେ ବର୍ତ୍ତମାନ ଇ-ବିଧାନର ବ୍ୟବସ୍ଥା କରାଯାଇଛି। ଯାହାକୁ ଦେଖି ଅଖିଳେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାର ଓ ବିଧାନସଭା ବାଚସ୍ପତି ସତୀଶ ମହାନାଙ୍କୁ ପ୍ରଶଂସା କରିଥିଲେ। ପ୍ରଥମ ଥର ଅଖିଳେଶ ଯୋଗୀ ଆଦିତ୍ୟନାଥଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି। ଯାହା ଏବେ ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାଯୋଗ୍ୟ, ଉତ୍ତରପ୍ରଦେଶର ବିଧାନସଭାରେ ବର୍ତ୍ତମାନ ହାଇ-ଟେକ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ସିଟ୍‌ରେ ଟ୍ୟାବ ଲଗାଯାଇଛି। ଶୁକ୍ରବାର ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ଉପସ୍ଥିତିରେ ‘ଇ-ବିଧାନସଭା’ର ଉଦ୍‌ଘାଟନ କରାଯାଇଥିଲା। ଏହି ସମୟରେ ବିରୋଧୀ ଦଳର ନେତା ଅଖିଳେଶ ଯାଦବ ମୁଖ୍ୟମନ୍ତ୍ରୀ ଯୋଗୀଙ୍କ ସହ ମଞ୍ଚରେ ଉପସ୍ଥିତ ଥିଲେ ଏବଂ ଗୃହର ପରିବର୍ତ୍ତିତ ରୂପରେଖକୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବିଧାନସଭାକୁ ଦେଖି ସେ ଅନୁଭବ କରିଥିଲେ ଯେ, ଏହା ଏକ ଆଇଟି କେନ୍ଦ୍ର। ଏଥିପାଇଁ ସେ ବିଧାନସଭା ବାଚସ୍ପତି ଏବଂ ଯୋଗୀ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଅନ୍ୟପଟେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନ ସମୟରେ ଅଖିଳେଶ ଯାଦବ ପ୍ରାୟ ସମୟରେ ଯୋଗୀଙ୍କୁ ଟାର୍ଗେଟ କରି କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ ଚଳାଇ ଜାଣିନାହାନ୍ତି ବୋଲି ଅପମାନିତ କରିଥିଲେ।

Share