ସ୍ୱାମୀ ପ୍ରସାଦ ମୌର୍ଯ୍ୟ-ଅଖିଳେଶଙ୍କ ଭର୍ଚୁଆଲ ରାଲିରେ ଲୋକେ ମାନିଲେନି କରୋନା ନିୟମ: ଡିଏମ୍‌ଙ୍କ ଯାଞ୍ଚ ନିର୍ଦ୍ଦେଶ

ଲକ୍ଷ୍ନୌ,୧୪ ।୧: ଉତ୍ତର ପ୍ରଦେଶର ବିଧାନସଭା ନିର୍ବାଚନକୁ ନେଇ ଏବେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି । କାରଣ ଗୋଟିଏପଟେ ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଥିବା ବେଳେ ଅନ୍ୟପଟେ ଶାସକ ଭାରତୀୟ ଜନତା ପାର୍ଟି(ଭାଜପା)ର କେତେଜଣ ଅସନ୍ତୁଷ୍ଟ ନେତା ଦଳ ଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଉଛନ୍ତି । ଭାଜପାର ପୂର୍ବତନ ବରିଷ୍ଠ ନେତା ସ୍ୱାମୀ ପ୍ରସାଦ ମୌର୍ଯ୍ୟ ୩ ଦିନ ପୂର୍ବେ ଭାଜପାରୁ ଇସ୍ତଫା ଦେବା ପରେ ଶୁକ୍ରବାର ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ନେତା ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ସେ ସମାଜବାଦୀ ପାର୍ଟିରେ ଯୋଗ ଦେଇଛନ୍ତି । ତାଙ୍କସହ ଅନ୍ୟ କେତେଜଣ ଅସନ୍ତୁଷ୍ଟ ବିଧାୟକ ବି ସାଇକେଲ ଚଢିବାକୁ ମନ ବଳାଇ ଅଖିଳେଶଙ୍କ ସହ ହାତ ମିଳାଇଛନ୍ତି । ତେବେ ସ୍ୱାମୀ ପ୍ରସାଦ ମୌର୍ଯ୍ୟ ଓ ଅଖିଳେଶ ଯାଦବ ପ୍ରଥମେ ଏହାକୁ ଭୁର୍ଚଆଲ ରାଲି ବୋଲି ଘୋଷଣା କରିଥିଲେ । ପରେ କିନ୍ତୁ ଦଳୀୟ କାର୍ଯ୍ୟାଳୟ ବାହାରେ ସମର୍ଥକଙ୍କ ଭିଡ ଲାଗିଯାଇଥିଲା । ଏହା ଏତେ ପରିମାଣରେ ବଢି ଯାଇଥିଲା ଯେ ଲୋକେ କରୋନା ମହାମାରୀକୁ ଏକବାର ପାସୋରୀ ପକାଇଥିଲେ । ଏବେ ଏହାକୁ ଦେଖି ଲକ୍ଷ୍ନøର ଡିଏମ୍ ଏହାର ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି । ଶୁଣିବାକୁ ମିଳିଛି ଯେ ଅଖିଳେଶ ଭର୍ଚୁଆଲ ରାଲି କରିବେ ବୋଲି କୁହାଯାଉଥିଲା । ହେଲେ ଅସଲରେ ଲୋକେ ଦଳୀୟ ଅଫିସ ସାମ୍ନରେ ରୁଣ୍ଡ ହୋଇଯାଇଥିଲେ । ଆଉ ସମର୍ଥକଙ୍କ ଭିଡ ଏମିତି ଥିଲା ଯେ ଲୋକେ ଯେମିତି ଭାବୁଥିଲେ କରୋନା ବୋଲି କିଛି ନାହିଁ । ଏଥିପାଇଁ ଅଖିଳେଶ କୌଣସି ଅନୁମତି ନ ଆଣିଥିବାରୁ ସେ ଫସି ଯାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଏହାକୁ ନେଇ ଡିଏମ୍ ଯାଞ୍ଚ ନିର୍ଦ୍ଦେଶ ଦେଇଛନ୍ତି ।

Share