ଟ୍ରୋଲ୍ ହେଲେ ଅଖିଳେଶ

ଲକ୍ଷ୍ନୌ,୩ ।୧: କରୋନା ମହାମାରୀକୁ ନେଇ ରାଜନୀତି ମୁଣ୍ଡ ଟେକିବା ଏକ ସାଧାରଣ କଥା ଥିବା ବେଳେ ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଏହାକୁ ଏନ ନୂଆ ରଙ୍ଗ ଦେଇଥିଲେ । ଶନିବାର ସାରା ଦେଶରେ କରୋନା ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଥିବା ବେଳେ ଅଖିଳେଶ କହିଥିଲେ ମୁଁ କରୋନା ଭ୍ୟାକ୍ସିନ ନେବି ନାହିଁ । କାରଣ ଭାରତୀୟ ଜନତା ପାଟି(ଭାଜପା)ର ଭ୍ୟାକ୍ସିନ ଉପରେ ମୋର ଭରସା ନାହିଁ । ଯେବେ ଆମ ସରକାର ଗଠନ ହେବେ ତେବେ ସମସ୍ତଙ୍କୁ ମାଗଣାରେ କରୋନା ଭ୍ୟାକ୍ସିନ ମିଳିବ ଓ ମୁଁ ସେତେବେଳେ ଭ୍ୟାକ୍ସିନ ନେବି କାରଣ ଭାଜପା ଭ୍ୟାକ୍ସିନ ଉପରେ ମୋର ଭରସା ନାହିଁ । ଅଖିଳେଶଙ୍କ ଏଭଳି ମନ୍ତବ୍ୟ ପରେ ଏବେ ସେ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି । କେତେଜଣ ୟୁଜର୍ସ ତାଙ୍କୁ ଗାଳି କରିବା ସହ ଆଉ କେତେଜଣ କହିଛନ୍ତି, ଭଲ ହୋଇଛି ପୋଲିଓ ଭ୍ୟାକ୍ସିନ ପୂର୍ବରୁ ଅଖିଳେଶ ଏଭଳି ବୟାନ ଦେଇ ନାହାନ୍ତି । ତେବେ ଟ୍ରୋଲ୍ ହେବା ପରେ ରବିବାର ଟୁଇଟ୍ କରି ଅଖିଳେଶ ଏହାର ସଫେଇ ଦେଇଛନ୍ତି । ଏହା ତାଙ୍କର ଡ୍ୟାମେଜ କଣ୍ଟ୍ରୋଲ କରିବାର ପ୍ରୟାସ ବୋଲି କୁହାଯାଉଛି । ସେ କହିଛନ୍ତି କରୋନା ଟିକାକରଣ ପ୍ରକ୍ରିୟା ଏକ ସମ୍ବେଦନାଶୀଳ ପ୍ରକ୍ରିୟା । ସେଥିପାଇଁ ଭାଜପା ସରକାର ଏହାକୁ କୌଣସି ଦେଖାଇହେବା ଇଭେଣ୍ଟ ବୋଲି ନ ଭାବୁ ଓ ସମସ୍ତ ପ୍ରସ୍ତୁତି ପରେ ଟିକାକରଣ ଆରମ୍ଭ କରାଯାଉ । ଏହା ଲୋକଙ୍କ ଜୀବନର କଥା କାରଣ ଏହାପରେ ଭୁଲକୁ ସୁଧାରି ହେବ ନାହିଁ । ଏହାସହ ଗରିବଙ୍କୁ ଟିକାକରଣର ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରାଯାଉ ବୋଲି ଅଖିଳେଶ କହିଛନ୍ତି । ସୂଚନାଯୋଗ୍ୟ, ଶନିବାର ଦିଲ୍ଲୀରେ କରୋନା ଭ୍ୟାକ୍ସିନର ଡ୍ରାଏରନ୍ ଆରମ୍ଭ ହୋଇଥିବା ବେଳେ ଏ ସମ୍ପର୍କରେ ସବିଶେଷ ବିବରଣୀ ନେବାକୁ ପହଞ୍ଚିଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ କହିଥିଲେ, କେବଳ ଦିଲ୍ଲୀ କାହିଁକି ସାରା ଦେଶରେ ଲୋକଙ୍କୁ ମାଗଣାରେ କରୋନା ଟିକା ଯୋଗାଇ ଦିଆଯିବ । ତେବେ ପ୍ରଥମ ପର୍ଯ୍ୟାୟରେ ହେଲ୍‌ଥ ୱାର୍କର, କରୋନା ଯୋଦ୍ଧା, ୫୦ ବର୍ଷରୁ ଅଧିକ ବୟସର ବ୍ୟକ୍ତି ଓ ଜଟିଳ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯିବ ବୋଲି ସେ ସ୍ପଷ୍ଟ କରିଥିଲେ ।

Share