ନୂଆଦିଲ୍ଲୀ,୩।୧୧: ଟି-୨୦ ବିଶ୍ୱକପ୍ରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖିଛି ଟିମ୍ ଇଣ୍ଡିଆ। ଲଗାତାର ଦୁଇଟି ମ୍ୟାଚ୍ରେ ପରାଜିତ ହେବା ପରଠାରୁ ଦଳକୁ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ୮ ଉଇକେଟରେ ପରାସ୍ତ ହୋଇଥିଲା ଭାରତ। ଏହାପରେ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର୍ ଶୋଏବ ଅଖ୍ତର ବଡ଼ ଟିପ୍ପଣୀ ଦେଇଛନ୍ତି।
ଟୁର୍ନାମେଣ୍ଟ ପରେ ଅଖ୍ତର କହିଛନ୍ତି, ଭାରତୀୟ ଦଳ ଏବେ ଦୁଇଟି ଭାଗରେ ବିଭକ୍ତ ହୋଇଛି। ସେଥିରୁ ଗୋଟିଏ ଭାରତୀୟ ଅଧିନାୟକଙ୍କ ବିପକ୍ଷରେ ହୋଇପାରେ। ମୁଁ ଜାଣେ ଏପରି କାହିଁକି ହେଉଛି। ଅଧିନାୟକ ଭାବେ କୋହଲିଙ୍କ ଏହା ଶେଷ ଟି-୨୦ ବିଶ୍ୱକପ୍। ସେଥିପାଇଁ ଏଭଳି ହୋଇପାରେ। ହେଲେ ସେ ଜଣେ ମହାନ କ୍ରିକେଟର। ଆମକୁ ତାଙ୍କର ସମ୍ମାନ କରିବା ଉଚିତ।
କହିରଖୁଛୁ, ଏଯାବତ ଖେଳିଥିବା ଦୁଇଟି ମ୍ୟାଚ୍ରେ ଭାରତ ହାରିଥିବା ବେଳେ ପାକିସ୍ତାନ ନିଜର ବିଜୟ ଅଭିଯାନ ଜାରି ରଖିଛି। ବୁଧବାର ଭାରତ ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍ର ତୃତୀୟ ମ୍ୟାଚ୍ ଖେଳିବ। ଏହାର ପରିଣାମ ଉପରେ ଦଳର ଆଗାମୀ ଯାତ୍ରା ନିର୍ଭର କରିବ।