ପୂର୍ବତନ ପାକିସ୍ତାନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫ୍‌ ପଳାତକ ଘୋଷିତ

ଇସଲାମାବାଦ,୨୩।୮: ପାକିସ୍ତାନ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ‘ପଳାତକ’ ଘୋଷିତ କରିଛନ୍ତି। ତାଙ୍କ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କ ସହ ଯୋଗାଯୋଗ କରାଯାଇଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପରାମର୍ଶଦାତା ଶାହାଜାଦ ଆକବର କହିଛନ୍ତି ଯେ, ନଓ୍ବାଜ୍‌ ସରିଫଙ୍କ ଚିକତ୍ସା ପାଇଁ ୪ ସପ୍ତାହ ଜାମିନ ଗତ ବର୍ଷ ଡିସେମ୍ବରରେ ଶେଷ ହୋଇଛି। ସରକାର ତାଙ୍କୁ ପଳାତକ ଘୋଷଣା କରୁଛନ୍ତି ଏବଂ ତାଙ୍କୁ ପ୍ରତ୍ୟର୍ପଣ ପାଇଁ ଇଂଲଣ୍ଡ ସରକାରଙ୍କୁ ଅନୁରୋଧ କରିଥିବା ସେ କହିଛନ୍ତି। ଦୁର୍ନୀତି ମାମଲାରେ ଦଣ୍ଡିତ ହୋଇଥିବା ୭୦ ବର୍ଷୀୟ ନୱାଜ ସରିଫ ଗତ ମାସରେ ଲାହୋର କୋର୍ଟକୁ ସୂଚନା ଦେଇଥିଲେ ଯେ ସେ ବର୍ତ୍ତମାନ ଦେଶକୁ ଫେରିପାରିବେ ନାହିଁ। କରୋନା ମହାମାରୀ ଯୋଗୁ ତାଙ୍କୁ ବାହାରକୁ ଯିବାକୁ ବାରଣ କରାଯାଇଛି। ସରିଫ ଓକିଲଙ୍କ ମାଧ୍ୟମରେ ଲାହୋର ହାଇକୋର୍ଟରେ ଡାକ୍ତରୀ ରିପୋର୍ଟ ଦାଖଲ କରି କହିଛନ୍ତି ଯେ ମଧୁମେହ, କିଡନୀ ଏବଂ ରକ୍ତଚାପରେ ପୀଡିତ ଥିବାରୁ ଡାକ୍ତରମାନେ ତାଙ୍କୁ ବାହାରକୁ ନ ଯିବାକୁ ପରାମର୍ଶ ଦେଇଛନ୍ତି।

Share