Categories: ଖେଳ

କୋକେନ୍‌ ସେବନ କରୁଥିଲେ ଆକ୍ରମ

କରାଚି,୩୧ା୧୦: ପାକିସ୍ତାନୀ କିମ୍ବଦନ୍ତୀ ପେସ୍‌ ବୋଲର ଓ୍ବାସିମ୍‌ ଆକ୍ରମ କୋକେନ୍‌ ସେବନ କରୁଥିବା ସ୍ବୀକାର କରିଛନ୍ତି। ନିଶା ସେବନ ନେଇ ଆକ୍ରମ ନିଜ ଆତ୍ମଜୀବନୀ ‘ସୁଲ୍‌ତାନ-ଏ ମେମୋଏର’ରେ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। କ୍ରିକେଟରୁ ଅବସର ଗ୍ରହଣ କରିବା ପରେ ସେ ନିୟମିତ ଭାବେ କୋକେନ ସେବନ କରୁଥିଲେ। ପାକିସ୍ତାନୀ ଭାବରେ ସର୍ବାଧିକ ୯୧୬ ଅନ୍ତର୍ଜାତୀୟ ଉଇକେଟ ନେଇଥିବା ଆକ୍ରମ ୨୦୦୩ ଦିନିକିଆ ବିଶ୍ୱକପ୍‌ ପରେ କ୍ରିକେଟ୍‌ରୁ ଅବସର ଘୋଷଣା କରିଥିଲେ।

କ୍ରିକେଟ୍‌ରୁ ଅବସର ନେବା ପରେ ଆକ୍ରମ କୋଚିଂ ଏବଂ ଭାଷ୍ୟକାର ଦାୟିତ୍ୱ ତୁଲାଇଥିଲେ। ତେବେ କ୍ରିକେଟର ଭାବେ ଯେଉଁ ଆଡ୍ରେନିଲିନ୍‌ ରସ୍‌ ମିଳିଥାଏ ତାହାକୁ ବଜାୟ ରଖିବା ପାଇଁ ସେ କୋକେନ୍‌ ନେବା ଆରମ୍ଭ କରିଥିଲେ। ପ୍ରଥମଥର ପାଇଁ ଇଂଲଣ୍ଡରେ ଏକ ପାର୍ଟିରେ ସେ ଗୋଟିଏ ଲାଇନ୍‌ କୋକେନ୍‌ ଟାଣିଥିବା ଆକ୍ରମ ନିଜ ବହିରେ ସ୍ବୀକାର କରିଛନ୍ତି। ଏହାପରେ ଏହି ଅଭ୍ୟାସ ଧୀରେ ଧୀରେ ବଢ଼ିବାରେ ଲାଗିଥିଲା। ଏପରି କି ସମୟ ସମୟରେ ୧-୨ ଗ୍ରାମ୍‌ର କୋକେନ୍‌ ସେବନ କରୁଥିବା ନେଇ ଆକ୍ରମ କହିଥିଲେ। ଆକ୍ରମଙ୍କ ପକେଟରୁ କୋକେନ୍‌ ପ୍ୟାକେଟ ଦେଖିଥିଲେ ପ୍ରଥମ ପତ୍ନୀ ହୁମା। ଏହାପରେ ସେ ରିହାବରେ ମଧ୍ୟ ରହିଥିଲେ। ରିହାବରେ ଦିଆଯାଉଥିବା ନିର୍ଯାତନା ସମ୍ପର୍କରେ ମଧ୍ୟ ସେ ନିଜ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ୨୦୦୯ରେ ହୁମାଙ୍କ ସହିତ ଡିଭୋର୍ସ ହେବା ବେଳକୁ ସେ ପୁନର୍ବାର କୋକେନ୍‌ ସେବନ କରିବା ଆରମ୍ଭ କରିଥିଲେ ବୋଲି ଆକ୍ରମ କହିଛନ୍ତି।

Share