
ନୂଆଦିଲ୍ଲୀ, ୧୪ା୪: ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ଆଇପିଏଲ୍ ଗେମ୍ରେ ସ୍ଲୋ ଓଭର ରେଟ୍ ପାଇଁ ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲକଙ୍କୁ ୧୨ ଲକ୍ଷ ଟଙ୍କ ଜରିମାନା ହୋଇଛି।
ରବିବାର ଖେଳାଯାଇଥିବା ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ନିର୍ଦ୍ଧାରିତ ଓଭରରେ ୫ ଉଇକେଟ ବିନିମୟରେ ୨୦୫ ରନ କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ୧୯ ଓଭରରେ ୧୯୩ ରନ କରି ଅଲଆଉଟ ହୋଇଯାଇଥିଲା। ସ୍ଥାନୀୟ ଅରୁଣ ଜେଟ୍ଲୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଏକ ସ୍ଲୋ ଓଭର ରେଟ୍ ପାଇଁ ଆଇପିଏଲ୍ ଆଚରଣ ସଂହିତାର ଧାରା ୨.୨୨ ଅନୁସାରେ ଅକ୍ଷରଙ୍କୁ ଏହି ଜରିମାନା କରାଯାଇଥିବା ବିସିସିଆଇ କହିଛି।
ଟୁର୍ନାମେଣ୍ଟରେ ଦିଲ୍ଲୀ କ୍ୟାପିଟାଲ୍ସର ଏହା ହେଉଛି ପ୍ରଥମ ପରାଜୟ। ଅକ୍ଷର ଫର୍ମ ଫେରିପାଇବା ଲାଗି ସଂଘର୍ଷ ଚଳାଇଥିବା ବେଳେ ଗତ ୫ଟି ମ୍ୟାଚରେ ଗୋଟିଏ ହେଲେ ଉଇକେଟ ହାସଲ କରିପାରି ନାହାନ୍ତି। ସେ ମାତ୍ର ୬୭ ରନ ସଂଗ୍ରହ କରିପାରିଛନ୍ତି।