ନୂଆଦିଲ୍ଲୀ,୧୮।୯: ଏସିଆ କପ୍ ପରେ ଭାରତୀୟ ଟିମ୍ ଆଗାମୀ ଦିନରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିିନିକିଆ ସିରିଜ ଖେଳିବ। ହେଲେ ଏହା ପୂର୍ବରୁ ବାମହାତୀ ସ୍ପିନର ଅକ୍ଷର ପଟେଲଙ୍କ ଖେଳିବା ନେଇ ଆଶଙ୍କା ଦେଖାଦେଇଛି। ବାଲାଂଦେଶ ବିପକ୍ଷ ସୁପର ୪ ପର୍ଯ୍ୟାୟ ମ୍ୟାଚ୍ରେ ଆହତ ହୋଇଥିଲେ ସେ। ଏଥିଲାଗି ସେ ଏସିଆ କପ୍ରୁ ବାଦ୍ ପଡ଼ିଥିଲେ। ତାଙ୍କ ସ୍ଥାନରେ ଓ୍ବାଶିଂଟନ ସୁନ୍ଦରଙ୍କୁ ସୁଯୋଗ ମିଳିଥିଲା।
ତେବେ ଏସିଆ କପ୍ ଟୁର୍ନାମେଣ୍ଟ ଶେଷ ହେବା ପରେ ଅଧିନାୟକ ରୋହିତ ଶର୍ମା ଅକ୍ଷରଙ୍କୁ ନେଇ କହିଛନ୍ତି ଯେ, ତାଙ୍କୁ ସାମାନ୍ୟ ଆଘାତ ଲାଗିଛି। ସେ ସପ୍ତାହେ କିମ୍ବା ୧୦ ଦିନ ମଧ୍ୟରେ ଠିକ୍ ହୋଇଯିବେ ବୋଲି ଭାବୁଛୁ। ହେଲେ ମୋତେ ତାହା ଜଣାନାହିଁ। ତାଙ୍କ ଆଘାତ କିଭଳି ଅଛି ତାକୁ ଦେଖିବାକୁ ହେବ। ଏଭଳି ମାମଲାରେ କିଛି ଲୋକ ଶୀଘ୍ର ସୁସ୍ଥ ହୋଇଯାଆନ୍ତି। ଅକ୍ଷର ମଧ୍ୟ ସେଭଳି ସୁସ୍ଥ ହୋଇଯିବେ ବୋଲି ଭାବୁଛୁ। ଏଣୁ ସେ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍ ଖେଳିବା ଭଳି ଲାଗୁନାହିଁ। ଆମକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସେହିଭଳି ଶ୍ରେୟାସ ଆୟର ଏବେ ସମ୍ପୂର୍ଣ୍ଣ ଫିଟ୍ ବୋଲି ରୋହିତ କହିଛନ୍ତି। ଅନୁଭବୀ ଅଫ୍ ସ୍ପିନର ଆର୍ ଅଶ୍ୱିନଙ୍କୁ ମଧ୍ୟ ସାମିଲ କରାଯାଇପାରେ ବୋଲି ସେ ସୂଚନା ଦେଇଛନ୍ତି।