କ୍ଷମା ମାଗିଲେ ଅକ୍ଷୟ

ମୁମ୍ବାଇ: ବଲିଉଡର ଖିଲାଡି ବୟ ଅକ୍ଷୟ କୁମାର ଏବେ ଚର୍ଚ୍ଚାରେ । ଅଭିନୟ ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିବା ଅକ୍ଷୟଙ୍କର ରହିଛନ୍ତି ଅନେକ ଫ୍ୟାନ ଫଲୋଇଂସ୍ । ଆଉ ଅକ୍ଷୟ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ନିକଟତର ହୋଇ ରହିବାକୁ ଚେଷ୍ଟା କରିଥାଆନ୍ତି । ସେ କେବେହେଲେ ପ୍ରଶଂସକଙ୍କୁ ଧୋକା ଦେବାକୁ ଚାହାନ୍ତି ନାହିଁ ଯାହାର ଏକ ଉଦାହରଣ ନିକଟରେ ଦେଖିବାକୁ ମିଳିଛି ।
ସୂଚନାଯୋଗ୍ୟ, ନିକଟରେ ଅକ୍ଷୟ କୁମାର ଅଭିନେତା ଅଜୟ ଦେବଗନ ଓ ଶାହାରୁଖ ଖାଁଙ୍କ ସହ ମିଶି ବିମଲ ଇଲାଇଚି ସହ ଜଡିତ ଉତ୍ପାଦନର ବିଜ୍ଞାପନରେ ନଜର ଆସିଥିଲେ । ବିମଲ ଇଲାଇଚି ଏମିତି ଏକ ବ୍ରାଣ୍ଡ ଯିଏ ତମାଖୁ ଉତ୍ପାଦନ ବି ବିକ୍ରି କରିଥାଏ । ଏହି ବିଜ୍ଞାପନକୁ ଦେଖିବା ପରେ ଅକ୍ଷୟଙ୍କ ପ୍ରଶଂସକମାନେ ତାଙ୍କର କଡା ସମାଲୋଚନା କରିଥିଲେ । ଏବେ ଏହି ଏଣ୍ଡୋର୍ସମେଣ୍ଟକୁ ନେଇ ଅକ୍ଷୟ ତାଙ୍କ ପ୍ରଶଂସକଙ୍କୁ କ୍ଷମା ମାଗିଛନ୍ତି ।
ବିମଲ ବ୍ରାଣ୍ଡର ପ୍ରଚାରକୁ ନେଇ ସେ ଏକ ପୋଷ୍ଟରେ ଲେଖିଛନ୍ତି, ମୋର ସମସ୍ତ ପ୍ରଶଂସକ ଓ ଶୁଭଚିନ୍ତକଙ୍କ ନିକଟରେ ମୁଁ କ୍ଷମା ମାଗୁଛି କାରଣ ଗତ କିଛିଦିନ ହେବ ଆପଣମାନଙ୍କ ପ୍ରତିକ୍ରିୟା ମୋରେ ପ୍ରଭାବିତ କରିଛି । ମୁଁ ତମାଖୁର ସମର୍ଥନ କରି ନାହିଁ ବା କରିବି ନାହିଁ । ବିମଲ ଇଲାଇଚି ସହ ମୋର ସମ୍ପର୍କକୁ ନେଇ ଆପଣମାନଙ୍କ ଭାବନାକୁ ସମ୍ମାନ କରୁଛି । ଏହାସହ ବିଜ୍ଞାପନ ପାଇଁ ନେଇଥିବା ପାରିଶ୍ରମିକକୁ ମୁଁ ଭଲ କାମ ପାଇଁ ଦାନ କରିବି । ହେଲେ ଆଗକୁ ଏହି ବିଜ୍ଞାପନ ଏୟାର ହେବ, ଯେପର୍ଯ୍ୟନ୍ତ ମୋ କଣ୍ଟ୍ରାକ୍ଟର ଲିଗାଲ ସୀମା ପୂରଣ ନ ହୋଇଛି । ହେଲେ ମୁଁ ଆପଣଙ୍କୁ କଥା ଦେଉଛି ଏଥର ବୁଝି ବିଚାରି ମୋର ଆଗାମୀ ବିକଳ୍ପକୁ ବାଛିବି । ଏହା ବଦଳରେ ଆପଣମାନଙ୍କ ଭଲ ପାଇବା ଓ ଶୁଭକାମନା ଚାହୁଁଛି । ସୋସିଆଲ ମିଡିଆରେ ଏବେ ଅକ୍ଷୟଙ୍କର ଏହି ପୋଷ୍ଟ ଭାଇରାଲ ହେଉଛି ।

 

Share