ଆସାମ ବନ୍ୟା ପୀଡ଼ିତଙ୍କୁ ୧ କୋଟି ଟଙ୍କା ଦାନ କଲେ ଅକ୍ଷୟ

ଦିସପୁର,୧୮।୮: ବଲିଉଡ୍‌ ନାୟକ ଅକ୍ଷୟ କୁମାରଙ୍କ ବଦାନ୍ୟତା ପୁଣି ଦେଖିବାକୁ ମିଳିଛି। ଆସାମ ବନ୍ୟା ପୀଡ଼ିତଙ୍କ ପାଇଁ ଖିଲାଡି ବୟ ଏବେ ୧ କୋଟି ଟଙ୍କା ଦାନ କରିଛନ୍ତି। ମଙ୍ଗଳବାର ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଟୁଇଟ୍‌ କରି ଏଥିପାଇଁ ଅକ୍ଷୟଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି, ଆପଣ ସଙ୍କଟ ସମୟରେ ସବୁବେଳେ ସହାନୁଭୁତି ଓ ସମର୍ଥନ ଦେଇଛନ୍ତି। ଆସାମର ଜଣେ ଭଲ ବନ୍ଧୁ ଭାବରେ ଆପଣ ଠିଆ ହୋଇଛନ୍ତି ଭଗବାନ ଆପଣଙ୍କ ଉପରେ ଆଶୀର୍ବାଦ ବର୍ଷା କରନ୍ତୁ। ସୂଚନାଯୋଗ୍ୟ, ଜୁଲାଇ ୨୦୨୦ରେ ଆସାମର ସମସ୍ତ ୩୩ ଜିଲା ବନ୍ୟାରେ ପ୍ରଭାବିତ ହୋଇଥିଲା। ବନ୍ୟା ପାଣିରେ ଜିଲାଗୁଡିକ ବୁଡିଯିବା ସହ ପାଖାପାଖି ୨୮ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଥିଲେ। ଏହାଦ୍ୱାରା ହଜାର ହଜାର ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲା। ସରକାରଙ୍କ ସହଯୋଗ ପରେ ଏବେ ଲୋକଙ୍କ ଅବସ୍ଥା ଧୀରେ ଧୀରେ ସୁଧୁରିବାରେ ଲାଗିଛି। ପ୍ରାୟ ୧ ମାସ ହେବ ବନ୍ୟାରେ ପୀଡ଼ିତ ଥିବା ଆସାମବାସୀଙ୍କ ଅବସ୍ଥା ଏବେବି ସୁଧୁରି ନାହିଁ। ଆସାମର କାଜିରଙ୍ଗା ଜାତୀୟ ଉଦ୍ୟାନରେ ମଧ୍ୟ ବନ୍ୟପ୍ରାଣୀମାନେ ବନ୍ୟା ଯୋଗୁ ନାହି ଁ ନ ଥିବା ଅସୁବିଧାରେ ପଡିଥିବା ବେଳେ ଶହ ଶହ ଜୀବଜନ୍ତୁ ମରି ଯାଇଛନ୍ତି।

Share