କାନାଡ଼ାର ନାଗରିକତ୍ୱ ଛାଡ଼ିବେ ଅକ୍ଷୟ, କହିଲେ ‘ଭାରତ ମୋ ପାଇଁ ସବୁକିଛି’

ବମ୍ବେ: ଭାରତରେ ଥାଇ ବି କାନାଡିୟ ନାଗରିକତ୍ୱ ଥିବାକୁ ନେଇ ଟ୍ରୋଲ ହୋଇ ଆସୁଛନ୍ତି ବଲିଉଡ୍‌ର ଖିଲାଡି କିଙ୍ଗ ଅକ୍ଷୟ କୁମାର। ଅନେକ ଥର ତାଙ୍କୁ ଏଥିଲାଗି କଟାକ୍ଷ କରାଯାଇଛି। ଲୋକଙ୍କ କଥା ତାଙ୍କୁ ଆଘାତ ଦେଉଥିବାରୁ ଏବେ ସେ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେଇଟି ହେଲା ସେ କାନାଡିୟ ନାଗରିକତ୍ୱ ଛାଡ଼ିବେ। ଏକ ସାକ୍ଷାତକାରରେ ଏନେଇ ସ୍ପଷ୍ଟ କରିଛନ୍ତି ସେ।

ଅକ୍ଷୟ କହିଛନ୍ତି, ଭାରତ ତାଙ୍କ ଲାଗି ସବୁକିଛି। ସେ ଯାହା ବି ରୋଜଗାର କରିଛନ୍ତି, ଏଠାରେ ରହି ଅର୍ଜନ କରିଛନ୍ତି। ଫେରାଇବାର ସୁଯୋଗ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି। ଲୋକେ ଯେତେବେଳେ ନାଗରିକତ୍ୱକୁ ନେଇ ପ୍ରଶ୍ନ କରନ୍ତି ତାଙ୍କୁ ଖରାପ ଲାଗେ। କିଛି ନ ଜାଣି ସମସ୍ତେ ତାଙ୍କୁ କାଠଗଡ଼ାରେ ଛିଡ଼ା କରନ୍ତି ବୋଲି ସେ କହିଛନ୍ତି।

ତେବେ କେଉଁ କାରଣରୁ ସେ କାନାଡାର ନାଗରିକତ୍ୱ ଗ୍ରହଣ କରିଥିଲେ ସେ ପ୍ରସଙ୍ଗ ଉଠାଇ ଅକ୍ଷୟ କହିଛନ୍ତି, ୧୯୯୦-୨୦୦୦ ଦଶକରେ ସେ ଅନେକ ଫିଲ୍ମରେ କାମ କରିଥିଲେ। ହେଲେ ଲଗାତାର ଭାବେ ୧୫ ଫିଲ୍ମ ଫ୍ଲପ ହୋଇଥିଲା। ଅଭିନେତା ଭାବେ ନିରାଶ ହେବା ପରେ ଆଉ କିଛି କାମ କରିବେ ବୋଲି ସେ ଭାବିଥିଲେ। ଏନେଇ ସେ କାନାଡ଼ାରେ ଥିବା ବନ୍ଧୁଙ୍କ ପରାମର୍ଶ ଲୋଡି ସେଠାକୁ ଯିବାକୁ ସ୍ଥିର କରିଥିଲେ। ଏହି ସମୟରେ ସେ କାନାଡ଼ାର ନାଗରିକତ୍ୱ ଲାଗି ଆବେଦନ କରିଥିଲେ। ମାତ୍ର ବିଧିର ବିଧାନ ଥିଲା ବିଚିତ୍ର। ଅକ୍ଷୟଙ୍କ ଅଭିନୀତ ବାକି ୨ ଫିଲ୍ମ ସୁପରହିଟ୍‌ ହୋଇଥିଲା। ବନ୍ଧୁ ତାଙ୍କୁ ଭାରତ ଫେରି କାମ କରିବାକୁ କହିଥିଲେ। ତାହା ହିଁ ହେଲା। ସେଠାରୁ ଫେରି ସେ ଅଭିନୟରେ ନିଜର ଶତ ପ୍ରତିଶତ ଦେଇଥିଲେ। ହେଲେ ତାଙ୍କ ପାଖରେ ଏହି ପାସପୋର୍ଟ ଥିବା ସେ ଭୁଲି ଯାଇଥିଲା। ଏହାକୁ ବଦଳାଇବା ଉଚିତ ବୋଲି ମନକୁ କେବେ ଆସି ନ ଥିଲା। ହେଲେ ଏବେ ସେ ଆବେଦନ କରିଛନ୍ତି। ଖୁବ୍‌ଶୀଘ୍ର ପାସପୋର୍ଟ ବଦଳି ଯିବ ବୋଲି ଅକ୍ଷୟ ସ୍ପଷ୍ଟ କରିଛନ୍ତି।

Share