ନୂଆଦିଲ୍ଲୀ, ୧୦।୯: ବଲିଉଡ୍ର ଷ୍ଟାର୍ ଅଭିନେତା ଅକ୍ଷୟ କୁମାରଙ୍କ ସୁନ୍ଦର ଫିଟ୍ନେସ ଲାଗି ତାଙ୍କର କୋଟି କୋଟି ପ୍ରଶଂସକ ସୃଷ୍ଟି କରିପାରିଛନ୍ତି। ୫୩ ବର୍ଷରେ ମଧ୍ୟ ଅକ୍ଷୟ ତାଙ୍କ ଫିଟ୍ନେସ ପାଇଁ ସର୍ବଦା ସତର୍କ ରହିଥାନ୍ତି। ଏହି ସମୟରେ ତାଙ୍କ ଫିଟ୍ନେସକୁ ନେଇ ଏକ ରହସ୍ୟ ଉନ୍ମୋଚିତ ହୋଇଛି। ନିକଟରେ ଏକ ଲାଇଭ୍ ଚାଟ୍ ସମୟରେ ଅକ୍ଷୟ କୁମାର ଉଲ୍ଲେଖ କରିଥିଲେ ଯେ, ସେ ସବୁଦିନ ଗୋ-ମୂତ୍ର ପିଉଛନ୍ତି।
ସମସ୍ତେ ଜାଣିଛେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସୁପର୍ ଷ୍ଟାର୍ ରଜନୀକାନ୍ତଙ୍କ ପରେ ବିୟର ଗ୍ରିଲ୍ସଙ୍କ ସହ ‘ଇନ୍ ଟୁ ଦି ଓ୍ବାଇଲ୍ଡ’ରେ ଅକ୍ଷୟ କୁମାର ଦେଖିବାକୁ ମିଳିବେ। ଏହି ଶୋ’ର ପ୍ରୋମୋ ନିକଟରେ ରିଲିଜ କରାଯାଇଥିଲା, ଯାହାକୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହି ଶୋ’ର ପ୍ରୋମୋ ପୂର୍ବରୁ ଅକ୍ଷୟ କୁମାର ଲାଇଭ୍ ଚାଟ୍ରେ ବିୟର ଗ୍ରିଲ୍ସଙ୍କ ସହ କଥା ହୋଇଥିଲେ। ଇନ୍ଷ୍ଟାଗ୍ରାମରେ ହୋଇଥିବା ଏହି ଲାଇଭ ଚାଟ୍ରେ ହୁମା କ୍ୟୁରେସି ମଧ୍ୟ ଯୋଗ ଦେଇଥିଲେ। ଯେତେବେଳେ ପ୍ରୋମୋ ଶୋ’ରେ ପ୍ରଦର୍ଶିତ ହୋଇଥିବା ‘ହାତୀ ପାଭ ଚାୟ’ ବିଷୟରେ କ୍ୟୁରେସି ପଚାରିଥିଲେ, ଅକ୍ଷୟ କହିଥିଲେ ଏହା ତାଙ୍କ ପାଇଁ ବଡ଼ କଥା ନୁହେଁ। କାରଣ ସେ ପ୍ରତିଦିନ ଗୋ-ମୂତ୍ର ପିଇଥାନ୍ତି। ଏହି ଚାଟ୍ ଅବସରରେ ଗ୍ରିଲ୍ସ ମଧ୍ୟ ଅକ୍ଷୟଙ୍କୁ ବେଶ୍ ପ୍ରଶଂସା କରିଥିଲେ।