ଦିପାବଳୀରେ ବକ୍ସ ଅଫିସରେ ହେବ ବଡ଼ ଟକ୍କର

ମୁମ୍ବାଇ, ୧୭।୨ : କରୋନା ମହାମାରୀ ପରେ ବକ୍ସ ଅଫିସକୁ ଫେରିବାକୁ ଯାଉଛି ବଲିଉଡ୍‌। ଚଳିତ ବର୍ଷ ଦିପାବଳୀରେ ରିଲିଜ ହେବ ଦୁଇଟି ବଡ଼ ଫିଲ୍ମ। ଗୋଟିଏ ପଟେ ଖିଲାଡି ଅକ୍ଷୟ କୁମାରଙ୍କ ଐତିହାସିକ ବାୟୋପିକ୍‌ ‘ପୃଥ୍ବୀରାଜ’ ରହିଛି। ଅନ୍ୟ ପଟେ ରହିଛି ଶାହୀଦ କପୁରଙ୍କ ସ୍ପୋଟର୍‌ସ ଭିତ୍ତିକ ଫିଲ୍ମ ‘ଜର୍ସି’।

ଅକ୍ଷୟ କୁମାର, ସଞ୍ଜୟ ଦତ୍ତ ଓ ସୋନୁ ସୁଦ ଷ୍ଟାରର ଫିଲ୍ମ ଆସନ୍ତା ନଭେମ୍ବର ୫ ତାରିଖରେ ରିଲିଜ ହେବ। ସମ୍ରାଟ ପୃଥ୍ବୀରାଜ ଚୌହ୍ବାନଙ୍କ ବାୟୋପିକ୍‌ ସହ ବଲିଉଡରେ ପାଦ ଥାପିବାକୁ ଯାଉଛନ୍ତି ମାନୁଶି ଚିଲର। ଏ ନେଇ ଫିଲ୍ମର ମେକର୍ସ ବୁଧବାର ଘୋଷଣା କରିଛନ୍ତି। ଏହି ଫିଲ୍ମ ପ୍ରକୃତରେ ଗତବର୍ଷ ସେପ୍ଟେମ୍ବରରେ ରିଲିଜ ହେବାର ଥିଲା। କୋଭିଡ୍‌-୧୯ ମହାମାରୀ ଆସିବା ପୂର୍ବରୁ ପ୍ରାୟତଃ ଶେଷ ହୋଇସାରିଥିଲା ଶୁଟିଂ। କିନ୍ତୁ ବାଧା ସାଜିଥିଲା କରୋନା।

ଅନ୍ୟପକ୍ଷରେ ଶାହୀଦଙ୍କ ଫିଲ୍ମ ଦିପାବଳୀରେ ରିଲିଜ ହେବ ବୋଲି ଗତ ଜାନୁୟାରୀରେ ଘୋଷଣା ହୋଇଥିଲା। ପ୍ରଡ୍ୟୁସର ବୋନି କପୁର ଏହି ଫିଲ୍ମକୁ ଚଳିତ ବର୍ଷ ଅକ୍ଟୋବରରେ ରିଲିଜ କରିବାକୁ ଚାହୁଁଥିଲେ। କିନ୍ତୁ ଅକ୍ଟୋବର ୧୫ ରିଲିଜ ସ୍ଲଟ୍‌ ନେଇସାରିଲା ଏସ୍‌ଏସ୍‌ ରାଜମୌଲିଙ୍କ ‘ଆରଆରଆର’। ଏହାପରେ ଅଜୟ ଦେବଗନଙ୍କ ମୈଦାନ ଧାଡ଼ିରେ ଅଛି।

Share