ଅଲ୍‌ ଶିଫା ହସ୍ପିଟାଲ ଖାଲିହେଲା

ଖାନ୍‌ ୟୁନିସ୍‌,୧୯।୧୧: ଇସ୍ରାଏଲ୍‌ ସୈନ୍ୟଙ୍କ ଦଖଲରେ ଥିବା ଗାଜାର ସର୍ବବୃହତ୍‌ ହସ୍ପିଟାଲ ଅଲ୍‌-ଶିଫାରୁ ରୋଗୀ, ମେଡିକାଲ କର୍ମଚାରୀ ଓ ସେଠାରେ ଆଶ୍ରୟ ନେଇଥିବା ଲୋକମାନେ ପଳାୟନ କରିଛନ୍ତି। ଘଣ୍ଟାଏ ମଧ୍ୟରେ ହସ୍ପିଟାଲ ଖାଲି କରିବାକୁ ଇସ୍ରାଏଲ୍‌ ସେନା ପକ୍ଷରୁ କୁହାଯାଇଥିଲା ବୋଲି ପାଲେଷ୍ଟିନୀୟ ଅଧିକାରୀମାନେ କହୁଥିବାବେଳେ ଏହାକୁ ଜେରୁଜେଲମ୍‌ ଖଣ୍ଡନ କରିଛି। ଶନିବାର ସକାଳେ ଇସ୍ରାଏଲ୍‌ ସେନା ହସ୍ପିଟାଲ ଖାଲି କରିବାକୁ ନିର୍ଦ୍ଦେଶନାମା ଜାରି କରିଥିଲା ବୋଲି ସ୍ବାସ୍ଥ୍ୟ ଅଧିକାରୀମାନେ କହିଛନ୍ତି। ତେବେ ଯେଉଁମାନେ ହସ୍ପିଟାଲ ଛାଡ଼ିବାକୁ ଆଶା କରୁଛନ୍ତି ସେମାନଙ୍କୁ ନିରାପଦରେ ପଳାଇଯିବା ପାଇଁ ସୁଯୋଗ ଦିଆଯାଇଥିଲା ବୋଲି ସେନା କହିଛି। ସେଠାରେ ଗୁରୁତର ରୋଗୀଙ୍କଠାରୁ ଆରମ୍ଭ କରି ହଜାର ହଜାର ଲୋକ ରହିଥିଲେ।
ଗାଜା ଷ୍ଟ୍ରିପ୍‌ରେ ଦୀର୍ଘଦିନ ଟେଲି ଯୋଗାଯୋଗ ବନ୍ଦ ରହିବା ପରେ ଶନିବାର ଇଣ୍ଟରନେଟ୍‌ ଓ ଫୋନ୍‌ ସେବା ଆଂଶିକ କାର୍ଯ୍ୟକ୍ଷମ ହୋଇଛି। ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବାରୁ ଗାଜାକୁ ମାନବୀୟ ସହାୟତା ପହଞ୍ଚାଇବା ବନ୍ଦ ହୋଇଯାଇଥିଲା। ପୂର୍ବରୁ ଗାଜାର ସାଧାରଣ ନାଗରିକମାନଙ୍କୁ ଉତ୍ତର ଗାଜା ଛାଡ଼ି ପଳାଇଯିବାକୁ ଇସ୍ରାଏଲ୍‌ ସୈନ୍ୟବାହିନୀ ପକ୍ଷରୁ କୁହାଯାଇଥିଲା। ଏବେ ଦକ୍ଷିଣ ଭାଗରେ ମଧ୍ୟ ଇସ୍ରାଏଲ୍‌ ଆକାଶମାର୍ଗରୁ ବୋମାବର୍ଷଣ କରୁଛି। ଉତ୍ତର ଭାଗରେ ଆକ୍ରମଣ ଜାରି ରହିଥିବାବେଳେ ଏବେ ଦକ୍ଷିଣ ଗାଜାରେ ଆକ୍ରମଣ ଆରମ୍ଭ ହୋଇଯାଇଛି। ଅଲ୍‌-ଶିଫା ହସ୍ପିଟାଲକୁ ହମାସ୍‌ ଆତଙ୍କବାଦୀମାନେ କମାଣ୍ଡ ସେଣ୍ଟର ଭାବେ ବ୍ୟବହାର କରୁଥିଲେ ବୋଲି ଇସ୍ରାଏଲ୍‌ ଦାବି କରିଆସିବା ସହ ସେଠାରେ ଆତଙ୍କବାଦୀଙ୍କୁ ଖୋଜିବା କାର୍ଯ୍ୟ ଜାରି ରଖିଛି।
ଯୁଦ୍ଧକୁ ୭ ସପ୍ତାହ ହୋଇଥିବାବେଳେ ଏଥିରେ ୧୧,୪୦୦ରୁ ଅଧିକ ପାଲେଷ୍ଟିନୀୟଙ୍କ ମୃତ୍ୟୁ ଘଟିଲାଣି। ସେମାନଙ୍କ ମଧ୍ୟରୁ ଦୁଇ-ତୃତୀୟାଂଶ ହେଉଛନ୍ତି ମହିଳା ଓ ଛୋଟ ପିଲା। ଅନ୍ୟ ୨,୭୦୦ ଲୋକ ନିଖୋଜ ଅଛନ୍ତି। ସେମାନେ ବିଲ୍ଡିଂଗୁଡ଼ିକର ଭଗ୍ନାବଶେଷ ତଳେ ରହିଯାଇଥିବା ବିଶ୍ୱାସ କରାଯାଉଛି। ହମାସ୍‌ ଆତଙ୍କବାଦୀ ଇସ୍ରାଏଲ୍‌ରେ ଆକ୍ରମଣ କରି ୧,୨୦୦ ଲୋକଙ୍କୁ ହତ୍ୟା କରିବା ସହ ୨୪୦ ଜଣଙ୍କୁ ପଣବନ୍ଦୀ କରିନେଇଯାଇଥିଲେ। ଏହାର ଜବାବରେ ଇସ୍ରାଏଲ୍‌ ହମାସ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା।

Share