ଅଲ-ଶିଫା ହସ୍ପିଟାଲ ଇସ୍ରାଏଲ ନିୟନ୍ତ୍ରଣରେ, ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଜବତ…

ଜେରୁଜେଲମ,୧୬।୧୧ : ଇସ୍ରାଏଲ ସେନା ଗାଜାର ସର୍ବବୃହତ ଅଲ-ଶିଫା ହସ୍ପିଟାଲ ଉପରେ ନିୟନ୍ତ୍ରଣ ହାସଲ କରିଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ (ଆଇଡିଏଫ) କହିଛି ହସ୍ପିଟାଲର ତଳ ମହଲାରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ମିଳିଛି। ଏହାପୂର୍ବରୁ ହସ୍ପିଟାଲର ଅନେକ ସ୍ଥାନରେ ହମାସ ଯୌଦ୍ଧାଙ୍କ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା।

ଇସ୍ରାଏଲ ସେନା ଅନୁଯାୟୀ ହସ୍ପିଟାଲର ଅନେକ ସ୍ଥାନରେ ଆତଙ୍କବାଦୀମାନେ ଥାଇପାରନ୍ତି। ଏହି କାରଣରୁ, ପ୍ରତ୍ୟେକ ଅଞ୍ଚଳ ତନ୍ନତନ୍ନ କରି ଖୋଜାଯାଉଛି। ଏହା ସହିତ ଆତଙ୍କବାଦୀଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଛି। ଇସ୍ରାଏଲ ସେନା ଅନୁଯାୟୀ ହମାସ ମୁଖ୍ୟାଳୟ ଏହି ହସ୍ପିଟାଲରେ ରହିଛି।

ଏଥି ସହିତ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଇସ୍ରାଏଲ ସେନା ହସ୍ପିଟାଲ ଉପରେ ନିୟନ୍ତ୍ରଣ ହାସଲ କରିଥିବାରୁ ସେଠାରେ ଉପସ୍ଥିତ ଥିବା ଡାକ୍ତରଙ୍କ ସହ ଯୋଗାଯୋଗ ହୋଇପାରି ନାହିଁ। ଅନ୍ୟପକ୍ଷରେ, ମିଳିତ ଜାତିସଂଘ ଦାବି କରିଛି ହସ୍ପିଟାଲ ଭିତରେ ରୋଗୀ ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୨୩୦୦ ଲୋକ ଉପସ୍ଥିତ ଅଛନ୍ତି। ଗାଜାରେ ମିଳିତ ଜାତିସଂଘର ରିଲିଫ ମୁଖ୍ୟ ମାର୍ଟିନ ଗ୍ରିଫିଥସ କହିଛନ୍ତି ହସ୍ପିଟାଲଗୁଡ଼ିକ ଯୁଦ୍ଧକ୍ଷେତ୍ର ନୁହେଁ।

ନବଜାତ ଶିଶୁ, ରୋଗୀ, ଡାକ୍ତରୀ କର୍ମଚାରୀ ଏବଂ ହସ୍ପିଟାଲର ସମସ୍ତ ନାଗରିକଙ୍କ ସୁରକ୍ଷା ଅନ୍ୟ ସମସ୍ତ ଚିନ୍ତାଧାରାଠାରୁ ଅଧିକ ସ୍ଥାନିତ ହେବା ଆବଶ୍ୟକ। ଏହି ପରିପ୍ରେକ୍ଷୀରେ ଆଇଡିଏଫ ମୁଖପାତ୍ର ଲୁଟନାଟ କର୍ନେଲ ପିଟର ଲନର୍ର୍‌ କହିଛନ୍ତି ହମାସ ହସ୍ପିଟାଲ କମ୍ପ୍ଲେକ୍ସକୁ ଏହାର ମୁଖ୍ୟାଳୟ ଭାବରେ ବ୍ୟବହାର କରୁଥିଲା ବୋଲି ପ୍ରମାଣ ମିଳିଛି।

Share