ଆପଲ-ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ! ସରକାର ଜାରି କଲେ ସୁରକ୍ଷା ଆଲର୍ଟ…

ନୂଆଦିଲ୍ଲୀ,୧୬।୧୨ : ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ବିପଦ ଘଣ୍ଟି ସୃଷ୍ଟି ହୋଇଛି। ସରକାରଙ୍କ ଦ୍ୱାରା ଏକ ଉଚ୍ଚ ସୁରକ୍ଷା ଆଲର୍ଟ ଜାରି କରାଯାଇଛି। ଏହା ଅନୁଯାୟୀ ଆପଲ ଏବଂ ସାମସଙ୍ଗ ଉପକରଣରେ ଅନେକ ତ୍ରୁଟି ଦେଖିବାକୁ ମିଳିଛି। ଏହି କାରଣରୁ, ୟୁଜରଙ୍କର ତଥ୍ୟ ଏବଂ ଉପକରଣ ବିପଦରେ ପଡିପାରେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

କମ୍ପ୍ୟୁଟର ଜରୁରୀକାଳୀନ ପ୍ରତିକ୍ରିୟା ଦଳ (ସିଇଆରଟି) ଅନୁଯାୟୀ, ଆପଲ ଉତ୍ପାଦର ସଫ୍ଟୱେୟାରରେ ଅନେକ ପ୍ରକାରର ତ୍ରୁଟି ଦେଖିବାକୁ ମିଳିଛି, ଯେଉଁ କାରଣରୁ ହ୍ୟାକରମାନେ ୟୁଜରଙ୍କ ଡିଭାଇସକୁ ନିୟନ୍ତ୍ରଣ କରିପାରିବେ। ଏପରି ପରିସ୍ଥିତିରେ,ୟୁଜରଙ୍କର ତଥ୍ୟ ଏବଂ ସୂଚନା ଚୋରି ହେବାର ଆଶଙ୍କା ରହଛି। ଅଧିକ ବିପଦ ଥିବା ଉପକରଣଗୁଡ଼ିକରେ ଆଇଓଏସ, ଆଇପ୍ୟାଡଓଏସ, ମ୍ୟାକଓଏସ,ଟିଭିଓଏସ, ଓ୍ବାଚଓଏସ ଏବଂ ସାଫାରି (iOS, iPadOS, macOS, tvOS, watchOS ଏବଂ Safari) ବ୍ରାଉଜର ଅନ୍ତର୍ଭୁକ୍ତ ।

ଆପଲ ଉତ୍ପାଦଗୁଡିକରେ ମନଇଚ୍ଛା କୋଡ ସାମିଲ କରାଯାଇଛି, ଯାହା ସୁରକ୍ଷା ନିୟମକୁ ଅଣଦେଖା କରିଥାଏ। ଏହାପୂର୍ବରୁ, ସିଇଆରଟି ସାମସଙ୍ଗ ଉତ୍ପାଦଗୁଡ଼ିକରେ ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲା। ଯାହା ହ୍ୟାକରମାନଙ୍କୁ ସୁରକ୍ଷା ନିୟମକୁ ଅତିକ୍ରମ କରିବାକୁ ଅନୁମତି ଦେଇଥାଏ। ରିପୋର୍ଟ ଅନୁଯାୟୀ, ସାମସଙ୍ଗ ମୋବାଇଲ ଆଣ୍ଡ୍ରଏଡ ସଂସ୍କରଣ ୧୧, ୧୨, ୧୩ ଏବଂ ୧୪ ରେ ବିପଦ ସୃଷ୍ଟି ହେବାର ଆଶଙ୍କା ଅଛି ।

ଏଭଳି ଆପଲ ଏବଂ ସାମସଙ୍ଗ ୟୁଜରଙ୍କ ପାଇଁ ଚେତାବନୀ ଦିଆଯାଇଛି। ବିଶେଷକରି ଯଦି ୟୁଜର ଏକ ଆପ ଡାଉନଲୋଡ କରିବା ସହିତ ୱେବ ବ୍ରାଉଜିଂ କିମ୍ବା ଆଟାଚମେଣ୍ଟ ଖୋଲନ୍ତି, ତେବେ ୟୁଜରଙ୍କ ଡିଭାଇସ ପ୍ରତି ବିପଦ ବଢ଼ିଯାଇଥାଏ। ଏପରି ପରିସ୍ଥିତିରେ, ୟୁଜରମାନେ ପ୍ରଥମେ ସେମାନଙ୍କର ଡିଭାଇସ ଅପଡେଟ କରିବା ଉଚିତ। ଯେକୌଣସି ବିପଜ୍ଜନକ ବାର୍ତ୍ତା ମଧ୍ୟ ନିୟନ୍ତ୍ରିତ କରିବା ଜରୁରୀ। ଏହା ସହିତ, ଅଜ୍ଞାତ ବାର୍ତ୍ତା ଉପରେ କ୍ଲିକ କରିବା ଉଚିତ ନୁହେଁ ।

Share