ବିଦାହେବେ ଅପାରଗ କର୍ମଚାରୀ

ଭୁବନେଶ୍ୱର,୩୦ା୧୦(ବ୍ୟୁରୋ):ଅପାରଗ ସରକାରୀ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି। ଯେଉଁ କର୍ମଚାରୀଙ୍କ କାର୍ଯ୍ୟଶୈଳୀ ସନ୍ତୋଷଜନକ ନୁହେଁ କିମ୍ବା ସେମାନଙ୍କ ନିକଟରେ ପ୍ରଶାସନିକ ଦକ୍ଷତାର ଅଭାବ ରହିଛି ସେଭଳି କର୍ମଚାରୀଙ୍କୁ ସରକାର ବାଧ୍ୟତାମୂଳକ ଅବସର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରଶାସନିକ ଦକ୍ଷତାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି। ଭଲ କାମ କରିଥିବା କର୍ମଚାରୀଙ୍କୁ ପ୍ରୋତ୍ସାହନ ରାଶି ସହ ପଦୋନ୍ନତି ମଧ୍ୟ ମିଳିବ। ରାଜ୍ୟ ସରକାର ୨୦୧୯ ସେପ୍ଟେମ୍ବର ୨୪ରେ ଏକ ସର୍କୁଲାର ନଂ. ୨୭୦୩୭ ଜାରି କରି ଏନେଇ ରିପୋର୍ଟ ପ୍ରସ୍ତୁତ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାରଙ୍କ ଏହି ନିର୍ଦ୍ଦେଶନାମାକୁ ଅଧିକାଂଶ ବିଭାଗ ଓ ବିଭାଗୀୟ ମୁଖ୍ୟ ଦପ୍ତର କାର୍ଯ୍ୟକାରୀ କରିନାହାନ୍ତି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ନେଇ ବୁଧବାର ଆଉ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ସେଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରାଯାଇଛି। ନଭେମ୍ବର ୧୫ ସୁଦ୍ଧା କର୍ମଚାରୀମାନଙ୍କର ବାଧ୍ୟତାମୂଳକ ଅବସର, ପଦୋନ୍ନତି ଏବଂ ପ୍ରୋତ୍ସାହନ ରାଶି ପାଇଁ ଏକ କମିଟି ଗଠନ କରିବାକୁ ବିଭାଗଗୁଡିକୁ କୁହାଯାଇଛି।
ଏଥିପାଇଁ ମାନବ ସମ୍ବଳ ପରିଚାଳନା ବ୍ୟବସ୍ଥା(ଏଚ୍‌ଆର୍‌ଏମ୍‌ଏସ୍‌) ଜରିଆରେ ଏକ ଅନ୍‌ଲାଇନ ବ୍ୟବସ୍ଥା କରାଯାଇଛି। ସେଥିରେ ସମସ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର ଏବଂ ଜିଲାସ୍ତରୀୟ କାର୍ଯ୍ୟାଳୟଗୁଡିକ ନୋମିନେଶନ, ଭିଜିଲାନ୍ସ କ୍ଲିୟରାନ୍ସ ଏବଂ ପରଫର୍ମାନ୍ସ ଆପ୍ରେଜାଲ୍‌ ରିପୋର୍ଟ (ପିଏଆର୍‌)ର ସମସ୍ତ ତଥ୍ୟ ଦାଖଲ କରିବାକୁ କୁହାଯାଇଛି। ଅଧସ୍ତନ ଅଧିକାରୀ, ନିର୍ଦ୍ଦେଶାଳୟ, ଜିଲାପାଳମାନେ ନଭେମ୍ବର ୩୦ ସୁଦ୍ଧା ସେମାନଙ୍କ ସୁପାରିସ ନିଜ ବିଭାଗକୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗୁଆ ଅବସର, ପଦୋନ୍ନତି ଏବଂ ପ୍ରୋତ୍ସାହନ ରାଶି ପ୍ରଦାନ ସମ୍ପର୍କରେ ଗଠିତ କମିଟି ଆସନ୍ତା ଡିସେମ୍ବର ୧୦ ସୁଦ୍ଧା ବୈଠକ କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ଏବଂ ଡିସେମ୍ବର ୧୫ ସୁଦ୍ଧ ତାହା ନିଜ ନିଜ ବିଭାଗକୁ ପଠାଇବାକୁ କୁହାଯାଇଛି। ଏ ନେଇ ଡିସେମ୍ବର ୩୧ ସୁଦ୍ଧା ସରକାର ନିଷ୍ପତ୍ତି ନେବେ ବୋଲି ସର୍କୁଲାରରେ କୁହାଯାଇଛି।
ପ୍ରଶାସନିକ ବ୍ୟବସ୍ଥାକୁ ଲୋକାଭିମୁଖୀ କରିବା ସହିତ ଦୁର୍ନୀତି ପ୍ରତି ଶୂନ ସହନଶୀଳତା ନୀତି ଅବଲମ୍ବନ ଉପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଗୁରତ୍ୱାରୋପ କରି ଆସିଛନ୍ତି। କିନ୍ତୁ କେତେକ ଅଧିକାରୀଙ୍କ ଉଦାସୀନତା ଯୋଗୁ ସେହି ଲକ୍ଷ୍ୟ ବାଟବଣା ହେଉଛି। ପ୍ରଶାସନିକ ସ୍ଥାଣୁତା ଦୂର କରିବାକୁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି।

Share