ଦକ୍ଷିଣ କୋରିଆ ପାଇଁ ସତର୍କ ଘଣ୍ଟି: ଜନ୍ମଠାରୁ ମୃତ୍ୟୁ ହାର ଅଧିକ

ସିଓଲ,୪।୧: ଦକ୍ଷିଣ କୋରିଆରେ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଦେଶରେ ଜନ୍ମ ତୁଳନାରେ ମୃତ୍ୟୁ ହାର ଅଧିକ ହେବାରେ ଲାଗିଛି। ୨୦୨୦ରେ ଦେଶରେ ୨୭୫,୮୦୦ ଶିଶୁ ଜନ୍ମ ନେଇଛନ୍ତି। ଏହା ୨୦୧୯ ତୁଳନାରେ ୧୦ ପ୍ରତିଶତ କମ୍‌ ରହିଛି। ସେହିପରି ୨୦୨୦ରେ ଦେଶରେ ୩୦୭,୭୬୪ ଲୋକଙ୍କ ମୃତ୍ୟୁ ଘଟିଛି। ପୃଥିବୀର କମ୍‌ ଜନ୍ମ ହାର ଦେଶ ଭାବେ ଦକ୍ଷିଣ କୋରିଆ ଜଣାଶୁଣା। ଏପରିସ୍ଥଳେ ଦେଶରେ ମୃତ୍ୟୁ ହାର ବଢୁଥିବାରୁ ମାନବ ସମ୍ବଳ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବାର ଆଶଙ୍କା ଦେଖାଦେଇଛି। ଦେଶରେ ବୟସ୍କଙ୍କ ସଂଖ୍ୟା ଅଧିକ ଥିବାରୁ ସେମାନଙ୍କ ସ୍ବାସ୍ଥ୍ୟ ସେବା ଲାଗି ଅଧିକ ରାଜସ୍ବ ଖର୍ଚ୍ଚ ହେଉଛି। ଏହା ଦେଶର ଆର୍ଥିକ ସ୍ଥିତିି ଉପରେ ପ୍ରଶ୍ନ ଚିହ୍ନ ସୃଷ୍ଟି କରିଛି। ତେଣୁ ସରକାର ୨୦୨୨ଠାରୁ ଶିଶୁ ଜନ୍ମ ହେଲେ ମାତାପିତାଙ୍କୁ ୨୦ ଲକ୍ଷ ଓ୍ବନ୍‌ ପୁରସ୍କାର ଘୋଷଣା କରିଛନ୍ତି। ସେହିପରି ୧ ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କ ଖର୍ଚ୍ଚ ପାଇଁ ମାତାପିତାଙ୍କୁ ୩ ଲକ୍ଷ ଓ୍ବନ୍‌ ପ୍ରଦାନ କରାଯାଉଥିବାବେଳେ ୨୦୨୫ଠାରୁ ଏହାକୁ ବଢ଼ାଇ ୫ ଲକ୍ଷ ଓ୍ବନ୍‌୍‌ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ଏହାଦ୍ୱାରା ଦେଶର ଜନସଂଖ୍ୟା ବଢ଼ିବାର ଆଶା ରହିଛି। ୨୦୨୦ ଡିସେମ୍ବର ଶେଷ ସୁଦ୍ଧା ଦେଶର ଜନସଂଖ୍ୟା ୫୧,୮୨୯,୦୨୩ ଥିଲା। ୨୦୧୯ ତୁଳନାରେ ଏହା ୨୦,୮୩୮ କମ୍‌ ରହିଥିବା ସରକାରୀ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Share