Categories: ଜାତୀୟ

ପ୍ରଥମେ କୋଭାକ୍ସିନ, ଦ୍ୱିତୀୟ ଡୋଜରେ କୋଭିଶିଲ୍ଡ

ମୁମ୍ବାଇ,୧୩।୫: ମହାରାଷ୍ଟ୍ରର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କୁ ଦୁଇଟି ଭିନ୍ନ ଭିନ୍ନ କୋଭିଡ୍‌ ଟିକା ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ଜଲନା ଜିଲାର ବସୀନ୍ଦା ଦତ୍ତାତ୍ରେୟ ଓ୍ବାଗମାରେ ମାର୍ଚ୍ଚ ୨୨ ତାରିଖରେ ଗ୍ରାମାଞ୍ଚଳର ଏକ ସ୍ବାସ୍ଥ୍ୟ କେନ୍ଦ୍ରରେ ନେଇଥିଲେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା। ଅପ୍ରିଲ ୩୦ ତାରିଖରେ ସେ ଦ୍ୱିତୀୟ ଡୋଜ ପାଇଁ ଯାଇଥିଲେ ଅନ୍ୟ ଏକ ସ୍ବାସ୍ଥ୍ୟକେନ୍ଦ୍ରକୁ। କିନ୍ତୁ ଏଥର ତାଙ୍କୁ ଦିଆଯାଇଥିଲା ସିରମ ଇନଷ୍ଟିଚ୍ୟୁଟରେ ପ୍ରସ୍ତୁତ କୋଭିଶିଲ୍ଡ।

ଦୁଇଟି ଭିନ୍ନ ଭିନ୍ନ ଟିକା ନେବା ପରେ ତାଙ୍କ ନିକଟରେ ଦେଖାଦେଇଥିଲା ଜ୍ୱର, ମୁଣ୍ଡବିନ୍ଧା ସହ ଶରୀରର ବିଭିନ୍ନ ସ୍ଥାନରେ ଦାଗ ଭଳି ପାର୍ଶ୍ୱ ପ୍ରତିକ୍ରିୟା। ଏହାପରେ ତାଙ୍କୁ ପାର୍ତୁର ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଇଥିଲେ ପୁଅ ଦିଗାମ୍ବର। ତାଙ୍କର ଦୁଇଟି ଟିକାକରଣ ପ୍ରମାଣପତ୍ର ଦେଖିବା ପରେ ସ୍ବାସ୍ଥ୍ୟ ଅଧିକାରୀଙ୍କ ସାମ୍ନାକୁ ଆସିଥିଲା ଘଟଣା।

ଓ୍ବାଗମାରେଙ୍କୁ ମିଳିଥିବା ପ୍ରୋଭିଜିନାଲ ସାର୍ଟିଫିକେଟରେ ପ୍ରଥମେ କୋଭାକ୍ସିନ ଓ ଦ୍ୱିତୀୟ ଡୋଜରେ କୋଭିଶିଲ୍ଡ ଦିଆଯାଇଥିବା ଦର୍ଶାଯାଇଛି। ମୋ ବାପା ଜଣେ ଅଶିକ୍ଷିତ। ମୁଁ ମଧ୍ୟ ଅଧିକ ପଢ଼ିନାହିଁ। ଟିକାକରଣ କେନ୍ଦ୍ରରେ ଉପସ୍ଥିତ ଥିବା ସ୍ବାସ୍ଥ୍ୟ ଅଧିକାରୀଙ୍କ ଅବହେଳା ଯୋଗୁ ଏଭଳି ଘଟିଥିବା ଅଭିଯୋଗ ଆଣିଛନ୍ତି ଦିଗାମ୍ବର। ପରିବାର ପକ୍ଷରୁ ସ୍ବାସ୍ଥ୍ୟ ଅଧିକାରୀଙ୍କ ନିକଟରେ ଅଭିଯୋଗ କରାଯିବା ପରେ ଘଟଣାର ତଦନ୍ତ କରାଯାଉଛି।

Share