Categories: ଫୁରସତ

ଚାଇନାରେ ଆଲ୍‌ବିନୋ ପାଣ୍ଡା

ଚେଙ୍ଗ୍‌ଡୁ: ବିଶ୍ୱରେ ଅନେକ ପ୍ରକାର ପ୍ରାଣୀ ରହିଛନ୍ତି। ଆନିମଲ ଏକ୍ସପର୍ଟଙ୍କ ଅନୁସାରେ, ଏମିତି ବି କିଛି ପ୍ରାଣୀ ଅଛନ୍ତି ଯେଉଁମାନେ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସିନାହାନ୍ତି। ଯଦି ସେମାନେ ଭୁଲବଶତଃ ଲୋକଲୋଚନକୁ ଆସିଯାଆନ୍ତି, ସେତେବେଳେ ଏକ ନୂଆ ପ୍ରଜାତି ଚିହ୍ନଟ ହୁଏ। ନିକଟରେ ଚାଇନାର ସିଚୁଆନରେ ଅବସ୍ଥିତ ୱଲଙ୍ଗ ନ୍ୟାଶନାଲ ନେଚର ରିଜର୍ଭର ଜଣେ ଏକ୍ସପର୍ଟ ଏକ ଅଜବ ପ୍ରକାରର ପାଣ୍ଡା ଦେଖିବାକୁ ପାଇଛନ୍ତି। ସାଧାରଣତଃ ପାଣ୍ଡାର ରଙ୍ଗ କଳା-ଧଳା ହୋଇଥିବାବେଳେ ଏହି ପାଣ୍ଡାର ପୂରା ଶରୀରର ରଙ୍ଗ ଧଳା ଥିଲା। ଏହି ପାଣ୍ଡାର ଫଟୋ ଯାଞ୍ଚ ପରେ ଜଣାପଡ଼ିଲା ଯେ ପାଣ୍ଡାଟି ଆଲ୍‌ବିନୋରେ ପୀଡ଼ିତ ଅଛି। ଆଲ୍‌ବିନୋ ହେଉଛି ଏପରି ଏକ ଅବସ୍ଥା, ଯେଉଁଥିରେ ବ୍ୟକ୍ତିର ଟିସୁରେ ମେଲାନିନ୍‌ର ଅଭାବ ଦେଖାଯାଇଥାଏ। ଫଳରେ ସେମାନେ ସମ୍ପୂର୍ଣ୍ଣ ଧଳା ଦେଖାଯାଆନ୍ତି। କୁହାଯାଉଛି ଯେ ଏହା ବିଶ୍ୱର ଏକମାତ୍ର ଆଲ୍‌ବିନୋ ପାଣ୍ଡା ହୋଇପାରେ। ସିସିଟିଭିରେ ପାଣ୍ଡାର ଏକ ଭିଡିଓ କଏଦ କରାଯାଇଛି। ଯେଉଁଥିରେ ସେ ବରଫରେ ଚାଲୁଥିବା ଦେଖିବାକୁ ମିଳିଛି। ସେହି ପାଣ୍ଡାର ବୟସ ୪ରୁ ୫ ବର୍ଷ ହୋଇଥିବା ଜଣାପଡିଛି। ଚାଇନାର ଏହି ରିଜର୍ଭଟି ବହୁତ ବଡ଼। ସେଥିପାଇଁ ସେଠାରେ ପ୍ରାଣୀଙ୍କ ସୁରକ୍ଷା ପାଇଁ ଅନେକ କ୍ୟାମେରା ଲଗାଯାଇଛି। ଯାହାଫଳରେ ତାଙ୍କ ଧ୍ୟାନ ରଖାଯାଇପାରିବ। ପାଣ୍ଡାଟି ବୁଲୁଥିବାବେଳେ ତା’ ସାଙ୍ଗରେ ଅନେକ ପାଣ୍ଡାଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା, ଯାହାଙ୍କ ରଙ୍ଗ ସାଧାରଣ କଳା-ଧଳା ଥିଲା। ଆଲ୍‌ବିନୋ ପାଇଁ ପାଣ୍ଡାକୁ କିଛି ଅସୁବିଧା ନ ଥିଲା। ସେ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡିଛି। ତେବେ ସେହି ପାଣ୍ଡାର ମା’ବାପା ଏ ପର୍ଯ୍ୟନ୍ତ ଦେଖିବାକୁ ମିଳିନାହାନ୍ତି।

Share