Categories: ଖେଳ

ଅଲକାରାଜ ନୂଆ ଚାମ୍ପିୟନ

ଲଣ୍ଡନ, ୧୭।୭: ବିଶ୍ୱର ନମ୍ବରଓ୍ବାନ ଟେନିସ ଖେଳାଳି ସ୍ପେନର କାର୍ଲୋସ ଅଲ୍‌କାରାଜ ଗାର୍ଫିଆ ଚଳିତ ବର୍ଷର ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ପୁରୁଷ ସିଙ୍ଗଲ୍ସ ଚାମ୍ପିୟନ ହୋଇଛନ୍ତି। ରବିବାର ଅନୁଷ୍ଠିତ ଏକ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ସେ ଦ୍ୱିତୀୟ ସିଡ୍‌ ତଥା ୭ ଥର ଚାମ୍ପିୟନ ସର୍ବିୟାର ନୋଭାକ୍‌ ଜୋକୋଭିଚ୍‌ଙ୍କୁ ୧-୬, ୭-୬ (୮/୬), ୬-୧, ୩-୬, ୬-୪ ସେଟ୍‌ରେ ପରାସ୍ତ କରିଛନ୍ତି। ଏଥିସହ ଓ୍ବିମ୍ବେଲଡନରେ ଜୋକୋଭିଚ୍‌ଙ୍କ ବିଜୟ ପଥରେ ବ୍ରେକ୍‌ ଲାଗିଛି। ଫାଇନାଲର ପ୍ରଥମ ସେଟ୍‌କୁ ଅତି ସହଜରେ ଜିତିଥିଲେ ଜୋକୋଭିଚ୍‌। ନିଜ ଅଭିଜ୍ଞତାର ଉପଯୋଗ କରି ସେ ୬-୧ରେ ବିଜୟୀ ହୋଇଥିଲେ। ଦ୍ୱିତୀୟ ସେଟ୍‌ରେ କିନ୍ତୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ ଅଲକାରାଜ। ଉଭୟଙ୍କ ପଏଣ୍ଟ ୬-୬ ହେବାପରେ ଟାଇବ୍ରେକର ପଦ୍ଧତି ଅବଲମ୍ବନ କରାଯାଇଥିଲା। ଏଥିରେ ଆଲକାରାଜ ୮-୬ରେ ବାଜି ମାରିଥିଲେ। ତୃତୀୟ ସେଟ୍‌କୁ ଅତି ସହଜରେ ୬-୧ରେ ଜିତିଥିଲେ ବିଶ୍ୱର ଏହି ନମ୍ବରଓ୍ବାନ ଖେଳାଳି। ମାତ୍ର ୪ର୍ଥ ସେଟ୍‌ରେ ପୁଣି ନିଜ ଦକ୍ଷତା ଦେଖାଇଥିଲେ ଜୋକୋଭିଚ୍‌। ୬-୩ରେ ବିଜୟୀ ହୋଇ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ। ୫ମ ତଥା ନିର୍ଣ୍ଣାୟକ ସେଟ୍‌କୁ ଅଲକାରାଜ ୬-୪ରେ ଜିତି ହୋଇଥିଲେ ନୂଆ ଚାମ୍ପିୟନ। ପ୍ରଥମଥରପାଇଁ ଓ୍ବିମ୍ବେଲଡନ ଫାଇନାଲରେ ପ୍ରବେଶ କରିଥିଲେ ଏବଂ ଚାମ୍ପିୟନ ହୋଇଥିଲେ। ଗତବର୍ଷ ସେ ୪ର୍ଥ ରାଉଣ୍ଡରୁ ବିଦାୟ ନେଇଥିଲେ ଏବଂ ଏହାଥିଲା ତାଙ୍କର ଶ୍ରେଷ୍ଠ। ୨୦୨୨ରେ ୟୁଏସ୍‌ ଓପନ ଜିତି ଗ୍ରାଣ୍ଡସ୍ଲାମ ବିଜୟର ସ୍ବାଦ ଚାଖିଥିବା ଆଲ୍‌କାରାଜ ଚଳିତ ବର୍ଷ ଫ୍ରେଞ୍ଚ୍‌ ଓପନ କ୍ଲେ କୋର୍ଟ ଟୁର୍ନାମେଣ୍ଟର ସେମିଫାଇନାଲିଷ୍ଟ ଥିଲେ।
ଅନ୍ୟପକ୍ଷରେ ଜୋକୋଭିଚ୍‌ ଏହା ପୂର୍ବରୁ ସେ ୨୦୧୧, ୨୦୧୪, ୨୦୧୫, ୨୦୧୮, ୨୦୧୯, ୨୦୨୧ ଓ ୨୦୨୨ରେ ଚାମ୍ପିୟନ ଏବଂ ୨୦୧୩ରେ ରନରଅପ୍‌ ହୋଇଥିଲେ। ୨୦୨୩ରେ ତାଙ୍କୁ ପୁଣି ରନରଅପ୍‌ରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଏହା ବ୍ୟତୀତ ସେ ୧୦ ଥର ଅଷ୍ଟ୍ରେଲିଆନ ଓପନ, ୩ ଥର ଫ୍ରେଞ୍ଚ୍‌ ଓପନ ଏବଂ ୩ ଥର ୟୁଏସ୍‌ ଓପନ ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଛନ୍ତି। ଜୋକୋଭିଚ୍‌ ଓ ଅଲ୍‌କାରାଜଙ୍କ ମଧ୍ୟରେ ଏହାଥିଲା ୩ୟ ମୁକାବିଲା। ୨୦୨୨ରେ ମାଡ୍ରିଡ୍‌ ଓପନ ସେମିରେ ଅଲକାରାଜ ବିଜୟୀ ହୋଇଥିବା ବେଳେ ୨୦୨୩ ରୋଲାଣ୍ଡ ଗ୍ୟାରୋସ୍‌ ସେମିଫାଇନାଲରେ ଜୋକୋଭିଚ୍‌ ବାଜି ମାରି ନେଇଥିଲେ। ଓ୍ବିମ୍ବେଲଡନ ଫାଇନାଲରେ ବିଜୟୀ ହୋଇ ପରାଜୟର ମଧୁର ପ୍ରତିଶୋଧ ନେଇଛନ୍ତି ଅଲ୍‌କାରାଜ।
ଶନିବାର ଅନୁଷ୍ଠିତ ମହିଳା ସିଙ୍ଗଲ୍ସ ଫାଇନାଲରେ ଟ୍ୟୁନିସିଆର ଓନ୍ସ ଜାବେରଙ୍କୁ ୬-୪, ୬-୪ ସିଧାସଳଖ ସେଟରେ ପରାସ୍ତ କରି ଚେକ୍‌ ରିପବ୍ଲିକ୍‌ର ମାର୍କେଟା ଭୋନ୍ଦ୍ରୋସୋଭା ଓ୍ବିମ୍ବେଲଡନ୍‌ ମହିଳା ସିଙ୍ଗଲ୍ସ ଟାଇଟଲ ହାସଲ କରିଥିଲେ।

Share