Categories: ଖେଳ

୪ର୍ଥ ରାଉଣ୍ଡରେ ଅଲକାରାଜ, ପେଗୁଲା

ନ୍ୟୁୟର୍କ,୪ା୯(ପି.ଟି.): ଟେନିସ୍‌ ଗ୍ରାଣ୍ଡସ୍ଲାମ ୟୁଏସ୍‌ ଓପନ ମହିଳା ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ଜେସିକା ପେଗୁଲା, ମାଡିସନ୍‌ କିସ୍‌ ଓ ଓନ୍ସ ଜାବେର୍‌। ଏହା ସହିତ ଚତୁର୍ଥ ରାଉଣ୍ଡରେ ଦୁଇ ଆମେରିକୀୟ ଖେଳାଳି ପେଗୁଲା ଓ କିସ୍‌ ପରସ୍ପର ମୁକାବିଲା କରିବେ। ବିଶ୍ୱ ମାନ୍ୟତାର ୩ ନମ୍ବର ସ୍ଥାନରେ ଥିବା ଜେସିକା ପେଗୁଲା ୬-୪, ୪-୬ ଓ ୬-୨ରେ ୟୁକ୍ରେନର ଏଲିନା ସ୍ବିତୋଲିନାଙ୍କୁ ପରାସ୍ତ କରିଥିଲେ। ୨୦୧୭ରେ ପ୍ରଥମ ଥର ୟୁଏସ୍‌ ଓପନରେ ରନର୍‌ ଅପ୍‌ ରହିଥିବା ଜେସିକା ଏହା ପରଠାରୁ ଗୋଟିଏ ବି ଗ୍ରାଣ୍ଡସ୍ଲାମର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସମର୍ଥ ହୋଇ ନାହାନ୍ତି। ଶନିବାର ଜେସିକା ପ୍ରଥମ ସେଟ୍‌ ଜିତିବା ପରେ ଏଲିନା ପରବର୍ତ୍ତୀ ସେଟ୍‌କୁ ବିଜୟୀ ହୋଇଥିଲେ। ନିର୍ଣ୍ଣାୟକ ସେଟ୍‌ରେ ଜେସିକା ପ୍ରାଧାନ୍ୟ ବିସ୍ତାର କରି ଖେଳିବା ସହ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଥିଲେ। ଅନ୍ୟପକ୍ଷରେ ମାଡିସନ୍‌ କିସ୍‌ ବିଶ୍ୱ ମାନ୍ୟତାର ୧୪ ନମ୍ବର ସ୍ଥାନରେ ଥିବା ଲିଡୁମିଲା ସାମସୋନୋଭାଙ୍କୁ ୫-୭, ୬-୨, ୬-୨ରେ ପରାସ୍ତ କରିଥିଲେ। ପ୍ରଥମ ସେଟ୍‌ ପରାଜିତ ହୋଇଥିଲେ ପରବର୍ତ୍ତୀ ଦୁଇ ସେଟ୍‌ ଜିତି ନେଇଥିଲେ କିସ୍‌।

ବିଶ୍ୱ ମାନ୍ୟତାର ୫ ନମ୍ବର ସ୍ଥାନରେ ଥିବା ଓନ୍ସ ଜାବେର୍‌ ମଧ୍ୟ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ୨ ଘଣ୍ଟା ୫୬ ମିନିଟ୍‌ର ସମୟ ନେଇ ସେ ବିଶ୍ୱ ମାନ୍ୟତାର ୩୧ ନମ୍ବର ସ୍ଥାନରେ ଥିବା ମେରୀ ବୋଜ୍‌କୋଭାଙ୍କୁ ୫-୭, ୭-୬(୫), ୬-୩ରେ ପରାସ୍ତ କରିଥିଲେ। ଅନ୍ୟ ଏକ ମ୍ୟାଚରେ ବିଶ୍ୱ ମାନ୍ୟତାର ୨୩ ନମ୍ବର ସ୍ଥାନରେ ଥିବା ଚାଇନାର ଝେଙ୍ଗ କ୍ୱିନ୍ବେନ୍‌ ୬-୩, ୪-୬, ୬-୪ ସେଟ୍‌ରେ ଲୁସିଆ ବୋରୋଞ୍ଜେଟ୍ଟିଙ୍କୁ ପରାସ୍ତ କରିଥିଲେ। ଜାବେର ନିଜ ୪ର୍ଥ ରାଉଣ୍ଡ ମ୍ୟାଚ୍‌ରେ ଝେଙ୍ଗ କ୍ୱିନ୍ବେନ୍‌ଙ୍କୁ ଭେଟିବେ। ଅନ୍ୟମାନଙ୍କ ମଧ୍ୟରେ ଆରିନା ସାବାଲେଙ୍କା ଓ ଦାରିଆ କାସାଟକିନା ମଧ୍ୟ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସାବାଲେଙ୍କା ୬-୧, ୬-୧ର ସିଧାସଳଖ ସେଟ୍‌ରେ କ୍ଲାରା ବୁରେଲଙ୍କୁ ଓ କାସାଟକିନା ୬-୩, ୬-୪ ସେଟରେ ଗ୍ରିଟ୍‌ ମିନ୍ନେନଙ୍କୁ ପରାସ୍ତ କରିଥିଲେ।

ଅନ୍ୟପକ୍ଷରେ ପୁରୁଷ ସିଙ୍ଗଲ୍ସ ୪ର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି ବିଶ୍ୱ ମାନ୍ୟତାର ଏକ ନମ୍ବର ସ୍ଥାନରେ ଥିବା କାର୍ଲୋସ୍‌ ଅଲକାରାଜ। ଶନିବାର ସେ ବିଶ୍ୱ ମାନ୍ୟତାର ୨୬ ନମ୍ବର ସ୍ଥାନରେ ଥିବା ଡାନ୍‌ ଏଭାନ୍ସଙ୍କୁ ୬-୨, ୬-୩, ୪-୬, ୬-୩ ସେଟ୍‌ରେ ପରାସ୍ତ କରିଥିଲେ। ଡିଫେଣ୍ଡିଂ ଚାମ୍ପିୟନ ଅଲକାରାଜ ଚମତ୍କାର ପ୍ରଦର୍ଶନ କରିଥିବା ବେଳେ ଏଭାନ୍ସ ନିରାଶାରେ ଦୁଇ ଦୁଇ ଥର ର଼୍ୟାକେଟ୍‌ ଭାଙ୍ଗିଥିଲେ। ରୋଜର ଫେଡେରରଙ୍କ ପରେ ଦ୍ୱିତୀୟ ଖେଳାଳି ଭାବରେ କ୍ରମାଗତ ୟୁଏସ୍‌ ଓପନ ଚାମ୍ପିୟନ ହେବାର ଲକ୍ଷ୍ୟ ରଖିଛନ୍ତି ଅଲକାରାଜ। ଫେଡେରର ୨୦୦୪-୦୮ ମଧ୍ୟରେ କ୍ରମାଗତ ୫ ଥର ୟୁଏସ୍‌ ଓପନ ହାସଲ କରିଥିଲେ। ଅଲକାରାଜ ପରବର୍ତ୍ତୀ ରାଉଣ୍ଡରେ ଇଟାଲୀର ମାଟ୍ଟେଓ ଅର୍ନାଲ୍ଡିଙ୍କୁ ଭେଟିବେ।

 

 

Share