Categories: ଖେଳ

ନମ୍ବର ୧କୁ ଫେରିଲେ ଅଲ୍‌କାରାଜ

ପ୍ୟାରିସ, ୨୪ା୫(ଏପି): ସଦ୍ୟ ପ୍ରକାଶିତ ଏଟିପି ର଼୍ୟାଙ୍କିଙ୍ଗରେ ନୋଭାକ୍‌ ଜୋକୋଭିଚ୍‌ଙ୍କୁ ହଟାଇ କାର୍ଲୋସ ଅଲ୍‌କାରାଜ ନମ୍ବର ଓ୍ବାନ ସ୍ଥାନ ଅଧିକାର କରିନେଇଛନ୍ତି। ଏଥିସହ ସେ ଫ୍ରେଞ୍ଚ ଓପନରେ ଟପ୍‌ ସିଡ୍‌ ମାନ୍ୟତା ଲାଭ କରିଛନ୍ତି। ଅନ୍ୟପକ୍ଷରେ ଇଟାଲିଆନ ଓପନ ଜିତିବା ପରେ ଡାନିଲ ମେଡଭେଡେଭ ଚଳିତବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ପୂର୍ବରୁ ଦ୍ୱିତୀୟ ସ୍ଥାନ ଅଧିକାର କରିନେଇଛନ୍ତି। ରବିବାରଠାରୁ ଆରମ୍ଭ ହେବାକୁଥିବା ଫ୍ରେଞ୍ଚ ଓପନ୍‌ରେ ସେ ପ୍ରଥମ ଥର ଟପ୍‌ ସିଡ୍‌ ହେବାର ସୁଯୋଗ ପାଇଛନ୍ତି ।
ସ୍ପେନ୍‌ର ଏହି ଉଦୀୟମାନ ଖେଳାଳି ଚଳିତ ମାସରେ ୨୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ୨୦୨୩ରେ ସେ ୪ଟି ଟାଇଟଲ ଜିତିସାରିଛନ୍ତି। ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବରରେ ୟୁଏସ୍‌ ଓପନ ଜିତିବା ପରେ ଅଲ୍‌କାରାଜ ପ୍ରଥମ ଥର ନମ୍ବର ଓ୍ବାନ ର଼୍ୟାଙ୍କିଙ୍ଗ ଖେଳାଳି ହୋଇପାରିଥିଲେ। ସେତେବେଳେ ତାଙ୍କୁ ମାତ୍ର ୧୯ ବର୍ଷ ବୟସ ହୋଇଥିଲା। ବର୍ଷ ଶେଷରେ ନମ୍ବର ଓ୍ବାନ ଖେଳାଳି ହେବାରେ ସେ ସର୍ବକନିଷ୍ଠ ହୋଇଥିଲେ। ଗୋଡ଼ରେ ଇଞ୍ଜୁରି ଯୋଗୁ ସେ ଜାନୁୟାରୀରେ ଅଷ୍ଟ୍ରେଲିଆନ ଓପନ ଖେଳିପାରି ନ ଥିଲେ, ଯେଉଁଠାରେ ଜୋକାଭିଚ୍‌ ତାଙ୍କ ୨୨ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିବା ସହ ରାଫାଲ ନାଡାଲଙ୍କ ରେକର୍ଡ ସମକକ୍ଷ ହୋଇଥିଲେ। କମ୍ପ୍ୟୁଟର ଦ୍ୱାରା ର଼୍ୟାଙ୍କିଙ୍ଗ ତାଲିକା ପ୍ରସ୍ତୁତ ଆରମ୍ଭ ହେବା ପରଠାରୁ ଟେନିସ ଖେଳର ଇତିହାସରେ ପୁରୁଷ ଅବା ମହିଳା ସବୁଠାରୁ ଅଧିକ ସପ୍ତାହ ନମ୍ବର ଓ୍ବାନ ସ୍ଥାନରେ ରହିପାରିଛନ୍ତି ଜୋକୋଭିଚ। ଅନ୍ୟପକ୍ଷରେ ପ୍ୟାରିସ୍‌ରେ ଗତଥରର ଚାମ୍ପିୟନ ଇଗା ସ୍ବିଟେକ୍‌ ଡବ୍ଲ୍ୟୁଟିଏ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ସ୍ଥାନ ବଜାୟ ରଖିଛନ୍ତି। ଏକ ବର୍ଷରୁ ଅଧିକ ସମୟ ଧରି ସେ ଏହି ସ୍ଥାନ ବଜାୟ ରଖିଛନ୍ତି। ମହିଳା ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଅଷ୍ଟ୍ରେଲିଆନ ଓପନ ଚାମ୍ପିୟନ ଆରିନା ସାବାଲେଙ୍କା।

Share