Categories: ଜାତୀୟ

ବର୍ଷକୁ ୩ ଦିନ କାଉଣ୍ଟର ବନ୍ଦ

ନୂଆଦିଲ୍ଲୀ,୨୪।୧: ଦିଲ୍ଲୀ ସରକାରଙ୍କ ନୂଆ ଏକ୍ସାଇଜ ଆଇନ ଅନୁଯାୟୀ ୨୦୨୨ରେ ମାତ୍ର ୩ ଦିନ ପାଇଁ ଲାଇସେନ୍ସ ପ୍ରାପ୍ତ ମଦ କାଉଣ୍ଟର ବନ୍ଦ ରହିବ। ଏ ନେଇ ସୋମବାର ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଜାରି କରାଯାଇଛି। ପୂର୍ବରୁ ବିଭିନ୍ନ ଜାତୀୟ ଛୁଟିଦିନ ବାବଦକୁ ବର୍ଷକୁ ୨୧ ଦିନ ମଦ ବିକ୍ରି ଉପରେ କଟକଣା ଲଗା ଯାଉଥିଲା।

ଲାଇସେନ୍ସ ପ୍ରାପ୍ତ ମଦ ଓ ଅଫିମ ଦୋକାନ ସାଧାରଣତନ୍ତ୍ର ଦିବସ (ଜାନୁୟାରୀ ୨୬), ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ଓ ଗାନ୍ଧୀ ଜୟନ୍ତୀ (ଅକ୍ଟୋବର ୨)ରେ ବନ୍ଦ ରହିବ ବୋଲି ଦିଲ୍ଲୀ ସରକାରଙ୍କ ଏକ୍ସାଇଜ ବିଭାଗ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶରେ କୁହାଯାଇଛି।

“ଦିଲ୍ଲୀର ଏକ୍ସାଇଜ ଆଇନର ୫୨ ଅଧିନିୟମ ଅନୁଯାୟୀ, ପ୍ରଦତ୍ତ ଦିନକୁ ଜାତୀୟ ରାଜଧାନୀରେ ‘ଡ୍ରାଏ ଡେ’ ଭାବେ ସମସ୍ତ ଲାଇସେନ୍ସ ପ୍ରାପ୍ତ ମଦ ଓ ଅଫିମ ଦୋକାନ ଦ୍ୱାରା ପାଳନ କରାଯିବ” ବୋଲି ନିର୍ଦ୍ଦେଶରେ କୁହାଯାଇଛି। ପୂର୍ବରୁ ଦେଶର ମହାନ ନେତା ଓ ଧାର୍ମିକ ଉତ୍ସବକୁ ମିଶାଇ ବର୍ଷକୁ ୨୧ ଦିନ ମଦ ବିକ୍ରି ଉପରେ କଟକଣା ଜାରି କରାଯାଉଥିଲା।

Share