ଆଲର୍ଟରେ ରାଜ୍ୟର ୧୮ ମେରାଇନ ଥାନା

ଭୁବନେଶ୍ୱର,୨୪।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ପ୍ରବାସୀଙ୍କୁ ନେଇ ଚିନ୍ତା ବଢିଛି। ରାଜ୍ୟ ସରକାର ଆନ୍ତଃ ଜିଲା ଯାତାୟାତ ଉପରେ କଟକଣା ଲଗାଇବା ପରେ ବିଭିନ୍ନ ପ୍ରବେଶ ପଥକୁ ବନ୍ଦ କରାଯାଇ କଡ଼ାକଡ଼ି ଯାଞ୍ଚ ଚାଲିଛି। ତେଣୁ ପୂର୍ବବର୍ଷ ଭଳି ପ୍ରବାସୀମାନେ ଜଳପଥରେ ଓଡ଼ିଶା ଭିତରକୁ ପଶି ଆସିବାର ସମ୍ଭାବନା ଦେଖାଦେଇଛି। ଏମାନଙ୍କ ପାଇଁ ରାଜ୍ୟର ସ୍ଥିତି ଆହୁରି ବିଗିଡିଯିବାର ଆଶଙ୍କା ଥିବାରୁ ଜଳପଥ ପାଟ୍ରୋଲିଂକୁ କଡାକଡି ପାଇଁ ନିର୍ଦ୍ଦେଶ ଦିଆଯାଇଛି। କୋଷ୍ଟଗାର୍ଡ଼ ପକ୍ଷରୁ ରାଜ୍ୟରେ ଥିବା ୧୮ ମେରାଇନ୍‌ ଥାନାକୁ ଆଲର୍ଟ କରାଯାଇଛି।
ରେଲ୍‌ୱେ ଓ କୋଷ୍ଟଗାର୍ଡ ସିକ୍ୟୁରିଟି ଅତିରିକ୍ତ ଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟ କହିଛନ୍ତି, ସମସ୍ତ ତଟବର୍ତ୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ମାଛଧରି ଫେରୁଥିବା ବୋଟଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରାଯିବ। ପ୍ରତ୍ୟେକ ଫିଶ୍‌ ଲ୍ୟାଣ୍ଡିଂ ସେଣ୍ଟରରେ ହୋମ୍‌ଗାର୍ଡ଼ ମୁତୟନ କରାଯାଇଛି। ନିୟମିତ ପାଟ୍ରୋଲିଂ ଚାଲିଥିବାବେଳେ ଏଣିକି ୧୩ଟି ଫାଷ୍ଟ ଇଣ୍ଟରସେଫ୍ଟ ବୋଟ୍‌ ମାଧ୍ୟମରେ ସମୁଦ୍ର ମଧ୍ୟରେ ପାଟ୍ରୋଲିଂ କରାଯିବ। ରାତିରେ ବାଇକ ଯୋଗେ ତଟବର୍ତ୍ତୀ ଅଞ୍ଚଳରେ ପାଟ୍ରୋଲିଂକୁ କଡ଼ାକଡି କରାଯିବ। ଏଥିରେ ସାହାଯ୍ୟ କରିବେ ସାଗର ରକ୍ଷକ ଦଳ। ତଟବର୍ତ୍ତୀ ଗ୍ରାମର ଯୁବକମାନଙ୍କୁ ନେଇ ଏହି ସାଗର ରକ୍ଷକ ଦଳ ଗଠନ କରାଯାଇଛି। ବାହାରୁ ଜଳପଥ ଦେଇ କେହି ପ୍ରବାସୀ ସେମାନଙ୍କ ଗ୍ରାମ ପାଖଦେଇ ଆସିଲେ ସେମାନେ ମେରାଇନ ଥାନାକୁ ସୂଚନା ଦେବେ। ତେବେ କୌଣସି ବୋଟ୍‌ ନିୟମ ଉଲ୍ଲଂଘନ କରି ପ୍ରବାସୀଙ୍କୁ ନେଇ ରାଜ୍ୟ ଭିତରକୁ ପ୍ରବେଶ କଲେ ତାହାକୁ ଜବତ କରାଯିବ। ଏଥିସହିତ କୌଣସି ଲୋକ ବାହାରୁ ଆସିଥିବା ନେଇ ଖବର ମିଳିଲେ ସେମାନଙ୍କୁ କ୍ୱାରାଣ୍ଟାଇନରେ ରଖାଯିବ ବୋଲି କହିଛନ୍ତି ଅତିରିକ୍ତ ଡିଜି ଆଚାର୍ଯ୍ୟ ସୂଚନା ଦେଇଛନ୍ତି।

Share