Categories: ଜାତୀୟ

ସୁଧୁରୁନି ପାକିସ୍ତାନ: ଡ୍ରୋନ୍‌ ଅନୁପ୍ରବେଶ-ଡ୍ରଗ୍ସ ଚୋରା ଚାଲାଣକୁ ପଣ୍ଡ କଲେ ବିଏସ୍‌ଏଫ୍‌ ଯବାନ

ନୂଆଦିଲ୍ଲୀ,୨୧।୧୨: ସୁଧୁରିବାର ନାଁ ନେଉନି ପାକିସ୍ତାନ। ପଞ୍ଜାବ ନିକଟବର୍ତ୍ତୀ ଅନ୍ତର୍ଜାତୀୟ ସୀମାରେ ପୁଣି ଅନୁପ୍ରବେଶ ଉଦ୍ୟମ କରିଛି ପାକିସ୍ତାନ। ଏଥିସହ ବହୁ ପରିମାଣର ଡ୍ରଗ୍ସ ଚୋରା ଚାଲାଣ ଉଦ୍ୟମ କରିବାକୁ ଚେଷ୍ଟା କରିଥିବା ନେଇ ସୂଚନା ମିଳିଛି। ତେବେ ୨୪ ଘଣ୍ଟା ମଧ୍ୟରେ ଦୁଇ ଦୁଇ ଥର ପାକିସ୍ତାନର ଏଭଳି ଯୋଜନାକୁ ସୀମାରେ ନିୟୋଜିତ ବିଏସ୍‌ଏଫ୍‌ କର୍ମଚାରୀ ପଣ୍ଡ କରିଦେଇଛନ୍ତି।

ସୀମା ସୁରକ୍ଷା ବଳ(ବିଏସ୍‌ଏଫ୍‌) ଅନୁଯାୟୀ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭.୨୦ ମିନିଟ୍‌ରେ ପାକିସ୍ତାନର ଏକ ଡ୍ରୋନ୍‌ ପଞ୍ଜାବର ଅମୃତସରରେ ପ୍ରବେଶ କରିବାକୁ ଉଦ୍ୟମ କରିଥିଲା। ହେଲେ ବିଏସ୍‌ଏଫ୍‌ର କାଉଣ୍ଟର ଡ୍ରୋନ୍‌ ଟେକ୍ନୋଲୋଜି ଯୋଗୁ ଡ୍ରୋନ୍‌କୁ ଖସାଇ ଦିଆଯାଇଥିଲା।

ସେହିଭଳି ପାକିସ୍ତାନ ସୀମାବର୍ତ୍ତୀ ପଞ୍ଜାବର ଫାଜିଲ୍କା ସେକ୍ଟରରେ ଦ୍ୱିତୀୟ ଘଟଣା ଘଟିଛି। ରାତି ପ୍ରାୟ ୧.୫୦ ମିନିଟ୍‌ ସମୟରେ ଚୋରା ଚାଲାଣକାରୀଙ୍କ ହଲଚଲ ଦେଖିବାକୁ ମିଳିଥିଲା। ଡ୍ୟୁଟିରେ ଆଲର୍ଟ ଥିବା ବିଏସ୍‌ଏଫ୍‌ ଯବାନ ମାନେ ତୁରନ୍ତ ପାକିସ୍ତାନ ସୀମାପଟକୁ ଗୁଳି ଚଳାଇଥିଲେ। ହେଲେ କୁହୁଡ଼ିର ସୁଯୋଗ ନେଇ ଚୋରା ଚାଲାଣକାରୀମାନେ ସେଠାରୁ ପଳାୟନ କରିଥିଲେ।

Share