ଏନଷ୍ଟୋନ୍ (ୟୁକେ), ୧୩ା୨ (ଏପି)-ଫର୍ମୁଲା ଓ୍ବାନ ଡ୍ରାଇଭର ଫର୍ନାଣ୍ଡୋ ଆଲୋଁସୋଙ୍କ ମାଢ଼ିରେ ସଫଳ ଅସ୍ତ୍ରୋପଚାର ହୋଇଛି। ଗୁରୁବାର ସୁଇଜରଲାଣ୍ଡରେ ଏକ ସାଇକେଲ ଦୁର୍ଘଟଣାରେ ସେ ଆଘାତପ୍ରାପ୍ତ ହେବାପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ବର୍ତ୍ତମାନ ସେ ୪୮ଘଣ୍ଟା ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବେ। କିଛିଦିନ ସମ୍ପୂର୍ଣ୍ଣ ବିଶ୍ରାମ ପରେ ସେ ପୁନର୍ବାର ଟ୍ରେନିଂରେ ଯୋଗ ଦେଇପାରିବେ ବୋଲି ତାଙ୍କ ଆଲପାଇନ୍ ଫର୍ମୁଲା ଓ୍ବାନ୍ ଟିମ୍ ପକ୍ଷରୁ ସୂଚନା ଦିଆଯାଇଛି। ସାଖୀରସ୍ଥିତ ବାହାରିନ୍ ଇଣ୍ଟରନ୍ୟାଶନାଲ ସର୍କିଟରେ ପ୍ରିସିଜନ ଟ୍ରେନିଂ ମାର୍ଚ୍ଚ ୧୨ରେ ଆରମ୍ଭ ହେବ। ସେଠାରେ ପ୍ରଥମ ରେସ୍ ମାର୍ଚ୍ଚ ୨୮ରେ ହେବ। ସ୍ପେନର ଏହି ୩୯ ବର୍ଷୀୟ ଡ୍ରାଇଭର ୯୭ ପୋଡିୟମ ଫିନିଶ ସହ ୩୨ ଫର୍ମୁଲା ଓ୍ବାନ ରେସ୍ ଜିତିଛନ୍ତି। ୨୦୧୮ରେ ମ୍ୟାକଲରେନଙ୍କ ସହ ତାଙ୍କ ଫାଇନାଲ ସିଜନ ଶେଷ ହେବା ପରେ ସେ ଅବସର ନେଇଥିଲେ। କିନ୍ତୁ ଚଳିତବର୍ଷ ସେ ଫର୍ମୁଲା ଓ୍ବାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଫ୍ରେଞ୍ଚ୍ ମାନୁଫାକ୍ଚରର ରେନଲ୍ଟ ସହ ଆଲେଁାସୋ ତାଙ୍କର ଦୁଇ ବିଶ୍ୱ ଟାଇଟଲ ଜିତିଛନ୍ତି। ୨୦୨୧ରେ ଏହି ଟିମ୍ର ନୂଆ ନାମ ଆଲପାଇନ୍ ରହିଛି।