ଭାଜପା ନେତା ଆଲେକଜାଣ୍ଡର ଦାସ ବିଜେଡିରେ ସାମିଲ

ଭୁବନେଶ୍ୱର,୮।୫: ଶଙ୍ଖ ଭବନରେ ବିଜେଡିର ମିଶ୍ରଣ ପର୍ବ। ଭାଜପା ନେତା ଆଲେକଜାଣ୍ଡର ଦାସ ଶହ ଶହ ସମର୍ଥକ ସହିତ ବୁଧବାର ବିଜେଡିରେ ସାମିଲ ହୋଇଛନ୍ତି।

ଦଳଡିଆଁଙ୍କୁ ଟିକେଟ୍‌ ଦେଇ ଭାଜପା ଅନେକ ଆସନରେ ଅଡ଼ୁଆର ସାମ୍ନା କରୁଛି । କୋରେଇରେ ଆକାଶ ଦାସନାୟକଙ୍କୁ ପ୍ରାର୍ଥୀ କରିବା ପରେ ପ୍ରମୁଖ ଟିକେଟ୍‌ ଆଶାୟୀ ଆଲେକଜାଣ୍ଡର ଦାସଙ୍କ ସମର୍ଥକମାନେ ଆସି ଭୁବନେଶ୍ବର ପାର୍ଟି ଅଫିସରେ ହଙ୍ଗାମା କରିଥିଲେ। ତେବେ ଆକାଶଙ୍କୁ ଟିକେଟ୍‌ ମିଳିବା ପରେ ଆଲେକଜାଣ୍ଡର ଭାଜପାରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହୋଇଥିବା ଜଣାପଡିଛି।

କୋରେଇ ଆସନରୁ ବିଜେଡି ପକ୍ଷରୁ ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ମା’ ସାରାଣୀ ଦାସଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ଭାଜପା ପକ୍ଷରୁ ଆକାଶ ଦାସନାୟକଙ୍କୁ ଟିକେଟ୍‌ ମିଳିଛି। ତେବେ ୨ ଜଣଙ୍କ ମଧ୍ୟରେ କଡା ମୁକାବିଲା ହେବା ନେଇ ଜଣାପଡୁଛି। ଅନ୍ୟପଟେ, ଆଲେକଜାଣ୍ଡର ବିଜେଡିରେ ମିଶିବା ପରେ ଆକାଶଙ୍କ ପାଇଁ ସମସ୍ୟା ବଢିପାରେ ବୋଲି କୁହାଯାଉଛି।