କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହେଲା ରଣବୀର-ଆଲିଆଙ୍କ ବିବାହ କାର୍ଯ୍ୟକ୍ରମ

ମୁମ୍ବାଇ,୧୩।୪: ବି-ଟାଉନର ଚର୍ଚ୍ଚିତ ଲଭ୍‌ବାର୍ଡ ତଥା ବଲିଉଡ୍‌ ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ରାତି ପାହିଲେ ଆଲିଆଙ୍କ ହାତ ଧରିବେ ରଣବୀର। ଅର୍ଥାତ୍‌ ଏପ୍ରିଲ ୧୪ରେ ଆଲିଆ ଓ ରଣବୀର ସାତଜନ୍ମର ସାଥୀ ହେବେ। ଏଥିପାଇଁ ବୁଧବାରରୁ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହ ରୀତିନୀତି ଆରମ୍ଭ ହୋଇଯାଇଛି। ବୁଧବାର ରଣବୀରଙ୍କ ମା’ ତଥା ଅଭିନେତ୍ରୀ ନୀତୁ କପୁର ଓ ଭଉଣୀ ରିଦ୍ଧିମା କପୁରଙ୍କୁ କାରରେ ଭେନ୍ୟୁ ଆଡ଼କୁ ବା ଆର.କେ ହାଉସକୁ ଯାଉଥିବାର ଦେଖିବାକୁ ମିଳିଛି। ଏହାର କିଛି ଫଟୋ ଏବେ ସାମ୍ନାକୁ ଆସିଛି। ଆଲିଆ ଓ ରଣବୀରଙ୍କ ବିବାହ ରୀତିନୀତି କଡ଼ା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି। ବିବାହ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅତିଥିମାନେ ମଧ୍ୟ ଆସିବା ଆରମ୍ଭ କରିଦେଇଛନ୍ତି।

ତେବେ ଏହି ସମୟରେ ଘର ଭିତରକୁ ଯାଉଥିବା କର୍ମଚାରୀଙ୍କ ମୋବାଇଲ ଫୋନର କ୍ୟାମେରାରେ ଷ୍ଟିକର ଲଗାଯାଉଥିବା ଦେଖିବାକୁ ମିଳିଛି। ଏହାର ଏକ ଭିଡିଓ ସାମ୍ନାକୁ ଆସିଥିବା ବେଳେ ସୋସିଆଲ ମିଡିଆରେ ଏବେ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ସୁରକ୍ଷାରେ ମୁତୟନ ହୋଇଥିବା ବାଉନ୍ସରମାନେ ମୋବାଇଲର ଆଗ ଏବଂ ପଛ କ୍ୟାମେରାରେ ଷ୍ଟିକର ଲଗାଉଥିବାର ନଜର ଆସିଛନ୍ତି। ଅନ୍ୟପଟେ ଗତ କିଛି ଦିନ ତଳେ ବିବାହ ଖବର ଲିକ୍‌ ହେବା ଭୟରେ ବିବାହ ତାରିଖକୁ ଆଗକୁ ବଢ଼ାଇ ଦିଆଯାଇଛି ବୋଲି ଆଲିଆଙ୍କ ଭାଇ ରାହୁଲ ଭଟ୍ଟ କହିଥିଲେ। ଏପ୍ରିଲ ୧୪ ବଦଳରେ ଉଭୟ ଏପ୍ରିଲ ୨୦ରେ ବିବାହ କରିବେ ବୋଲି ସେ କହିଥିଲେ। ହେଲେ ଆଲିଆଙ୍କ କକା ରବିନ ଭଟ୍ଟ ବିବାହ ତାରିଖକୁ ନିଶ୍ଚିତ କରିଛନ୍ତି। ସେ ଏକ ସାକ୍ଷାତକାରରେ କହିିଛନ୍ତି ଯେ, ଏପ୍ରିଲ ୧୩ ଅର୍ଥାତ୍‌ ବୁଧବାରରୁ ପ୍ରି-ଓ୍ବେଡିଂ କାର୍ଯ୍ୟକ୍ରମ ଆରମ୍ଭ ହୋଇଯିବ। ଏପ୍ରିଲ ୧୪ରେ ଏହି ସେଲିବ୍ରିଟି ବିବାହ କରିବେ।

Share