ଯମଜ ସନ୍ତାନ ନେଇ ମୁହଁ ଖୋଲିଲେ ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ୍‌ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ୍‌ ଖୁସି ଅଛନ୍ତି। କିନ୍ତୁ ଉଭୟଙ୍କ ପାଇଁ ଏହି ଖୁସି ଦୁଇଗୁଣା ହେବ ବୋଲି ଚର୍ଚ୍ଚା ଜୋର ଧରିଥିଲା। କାରଣ ଆଲିଆ ଯମଜ ସନ୍ତାନ ଜନ୍ମ ଦେବେ ବୋଲି ଏକ ଶୋ’ରେ ରଣବୀର ହିଣ୍ଟ ଦେଇଥିଲେ। ଏବେ କିନ୍ତୁ ଆଲିଆ ନିଜେ ଏହାକୁ ଗୁଜବ ବୋଲି କହିଛନ୍ତି। ପ୍ରଥମେ ଏମିତି ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଥିଲି। ଏଭଳି ହିଣ୍ଟ୍‌ ଦେଇ ରଣବୀର ନିଜ ଗୋଡରେ ନିଜେ କୁରାଢ଼ି ମାରିଥିଲେ। କିନ୍ତୁ ଏସବୁ ମଜାକ୍‌ ଥିଲା। ମୁଁ ଗୋଟିଏ ସନ୍ତାନ ଆଶା କରୁଛି ବୋଲି କହିଛନ୍ତି ଆଲିଆ।
ନିକଟରେ ଏକ ସାକ୍ଷାତକାର ସମୟରେ ରଣବୀରଙ୍କୁ ଦୁଇଟି ସତ୍ୟ ଏବଂ ଦୁଇଟି ମିଥ୍ୟା କହିବାକୁ କୁହାଯାଇଥିଲା। ଏହାର ଜବାବରେ ରଣବୀର କହିଥିଲେ, ମୋର ଯମଜ ଶିଶୁ ହେବେ। ମୁଁ ଏକ ବହୁତ ବଡ ପୌରାଣିକ ଫିଲ୍ମର ଅଂଶ ହେବାକୁ ଯାଉଛି, ମୁଁ କାମରୁ ବ୍ରେକ ବିରତି ନେଉଛି। ଏଭଳି ମନ୍ତବ୍ୟ ପରେ ପ୍ରଶଂସକମାନେ ଅନୁମାନ କରିବାରେ ବ୍ୟସ୍ତ ଥିଲେ ଯେ ରଣବୀର-ଆଲିଆ ପ୍ରକୃତରେ ଯମଜ ସନ୍ତାନର ମାତା-ପିତା ହେବାକୁ ଯାଉଛନ୍ତି।
ଆଗକୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ। ବିବାହ ପରେ ଉଭୟଙ୍କର ଏକାଠି ଏହା ପ୍ରଥମ ଫିଲ୍ମ ହେବ।

Share