ବିବାହ ପରେ ସ୍ବାମୀଙ୍କ ସହ ଏକାଠି ନଜର ଆସିଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁର ଏପ୍ରିଲ ୧୪ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ଉଭୟଙ୍କ ବିବାହର ଫଟୋ ଏବଂ ସେମାନଙ୍କ ସହ ଜଡ଼ିତ ରୀତିନୀତି ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି। ପ୍ରଶଂସକମାନେ ମଧ୍ୟ ନବଦମ୍ପତିଙ୍କ ପୋଷ୍ଟକୁ ବହୁତ ପସନ୍ଦ କରୁଛନ୍ତି। ବିବାହ ପରେ ଆଲିଆ ଏବଂ ରଣବୀର କାମକୁ ଫେରିଛନ୍ତି। ସେମାନେ ଫିଲ୍ମ ଶୁଟିଂରେ ବ୍ୟସ୍ତ ଅଛନ୍ତି। ଉଭୟ ହନିମୁନ୍‌ ପାଇଁ ବାହାରକୁ ଯାଇ ନ ଥିଲେ। ଏହି ସମୟରେ, ରଣବୀର-ଆଲିଆ ବିବାହ ପରେ ବୁଧବାର ସନ୍ଧ୍ୟାରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଛନ୍ତି। ଏହି ସମୟ ମଧ୍ୟରେ ତାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉଭୟଙ୍କୁ ଏକାଠି ଦେଖି ପ୍ରଶଂସକମାନେ ବହୁତ ଖୁସି।

ଶୁଟିଂ ଶେଷ କରିବା ପରେ ଆଲିଆ ଏବଂ ରଣବୀର ଫେରୁଥିଲେ। ଏହି ସମୟରେ ଫଟୋଗ୍ରାଫରମନେ ତାଙ୍କୁ କ୍ୟାମେରାରେ କ୍ୟାପଚର କରିବାର ସୁଯୋଗ ହାତଛଡ଼ା କରି ନ ଥିଲେ। ଉଭୟ ସମାନ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ। ରଣବୀର ଏକ କଳା ଟି-ଶର୍ଟ ପିନ୍ଧିଥିବା ବେଳେ ଆଲିଆ ବି ଏକ କଳା ଶର୍ଟ ପିନ୍ଧିଛନ୍ତି। କାଜୁଆଲ ଲୁକ୍‌ରେ ଉଭୟେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଉଭୟ କାର୍‌ରେ ବସି ଫଟୋଗ୍ରାଫରଙ୍କୁ ନମସ୍କାର କରିଥିଲେ। ପ୍ରଶଂସକମାନେ ଏହି ଭିଡିଓକୁ ବହୁତ ପସନ୍ଦ କରିଛନ୍ତି।

Share