ତାଲିବାନ୍‌ ହେଉଛି ଉଗ୍ର, ୫୦ ଭାରତୀୟ ଅଧିକାରୀଙ୍କୁ ଆଫଗାନିସ୍ତାନ ଛାଡ଼ିବାକୁ ପରାମର୍ଶ…

କାବୁଲ,୧୧।୭: ଆଫଗାନିସ୍ତାନର କାନ୍ଧାହାର ସ୍ଥିତ ଦୂତାବାସ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ୫୦ ଜଣ ଭାରତୀୟ ଅଧିକାରୀଙ୍କୁ ସ୍ବଦେଶ ଫେରିବାକୁ ପରାମର୍ଶ ଦିଆଯାଇଛି। ଆଫଗାନିସ୍ତାନରେ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ସକ୍ରିୟ ହେବା ସହିତ ଉଗ୍ର ହେବାରେ ଲାଗିଥିବାରୁ ଭାରତ ସରକାରଙ୍କ ପକ୍ଷରୁ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ପୂର୍ବରୁ ଭାରତୀୟ ବହିର୍ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଥିଲା ଯେ, ପରିସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଭାରତୀୟ ଅଧିକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପଦକ୍ଷେପ ଗ୍ରହଣ କରାଯିବ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ପ୍ରବକ୍ତା ଅରିନ୍ଦମ ବାଗ୍‌ଚି ସୂଚନା ଦେଇଥିଲେ। ଗତ ଦୁଇ ସପ୍ତାହ ଧରି ଦେଶରେ ଲଗାତାର ଆତଙ୍କବାଦୀ ଆକ୍ରମଣ ହେଉଥିବାରୁ ଭାରତ ସରକାର ଦୂତାବାସ ଖାଲି କରିବାକୁ ଅଧିକାରୀଙ୍କ ଲାଗି ସତର୍କ ସୂଚନା ଜାରି କରିଛନ୍ତି। ଆମେରିକା ସୈନ୍ୟବାହିନୀ ସ୍ବଦେଶ ଫେରୁଥିବାରୁ ଏବେ ତାଲିବାନ୍‌ ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନରେ ଅଣ୍ଟା ସଳଖିବା ଆରମ୍ଭ କରିଛି। ପୂର୍ବପରି ଦେଶରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇଁ ତାଲିବାନ୍‌ ଉଦ୍ୟମ ଆରମ୍ଭ କରିଛି।

Share