ପୃଥିବୀରେ ଲୁଚି ବସିଛନ୍ତିି ଏଲିଅନ୍‌,ମଙ୍ଗଳରେ ଗୁପ୍ତ ଅଡ୍ଡା: ଟ୍ରମ୍ପ୍‌ଙ୍କୁ ବି ଜଣା ବୋଲି କହିଲେ ଇସ୍ରାଏଲ୍‌ ମହାକାଶ ବିଜ୍ଞାନୀ

ଜେରୁଜେଲମ୍‌,୯।୧୨: ପୃଥିବୀରେ ଏଲିଅନ୍‌ ଲୁଛି ବସିଛନ୍ତିି। ସେମାନେ ମଙ୍ଗଳଗ୍ରହରେ ଗୁପ୍ତ ଅଡ୍ଡା ନିର୍ମାଣ କରିଛନ୍ତି। ଏସମ୍ପର୍କରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍‌ ଟ୍ରମ୍ପ୍‌ଙ୍କୁ ମଧ୍ୟ ଜଣା ଅଛି। ଏସମ୍ପର୍କରେ ଇସ୍ରାଏଲ୍‌ ମହାକାଶ ଗବେଷଣା କାର୍ଯ୍ୟକ୍ରମର ପୂର୍ବତନ ମୁଖ୍ୟ ତଥା ମହାକାଶ ବିଜ୍ଞାନୀ ୮୭ ବର୍ଷ ବୟସ୍କ ପ୍ରଫେସର ହୈମ ଇଶେଦ ସୂଚନା ଦେଇଛନ୍ତି। ଏଲିଅନ୍‌ଙ୍କ ସହିତ ଆମେରିକା ଏବଂ ଇସ୍ରାଏଲ୍‌ ଯୋଗାଯୋଗରେ ରହିଥିବା ସେ କହିଛନ୍ତି। ମାନବ ସମାଜ ଏଲିଅନ୍‌ଙ୍କ ଉପସ୍ଥିତି ନେଇ ବର୍ତ୍ତମାନ ନିଜକୁ ପ୍ରସ୍ତୁତ କରି ନ ଥିବାରୁ ଏହାକୁ ପ୍ରଘଟ କରା ନ ଯାଇ ଗୁପ୍ତ ରଖାଯାଇଥିବା ସେ କହିଛନ୍ତି। ଗତ ୩୦ ବର୍ଷ ଧରି ଇଶେଦ ଇସ୍ରାଏଲ୍‌ ମହକାଶ ଗବେଷଣା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବା ପରେ ଅବସର ନେଇଥିଲେ। ଏକ ସାକ୍ଷାତକାର୍‌ରେ ଇଶେଦ ଏଭଳି ସୂଚନା ଦେଇଛନ୍ତି। ଏବେ ଇଶେଦଙ୍କ ମନ୍ତବ୍ୟ ନେଇ ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆମେରିକା ପକ୍ଷରୁ ଏଲିଅନ୍‌ଙ୍କ ଗାଲେକ୍ଟିିକ୍‌ ଫେଡେରେଶନ୍‌ ସହିତ ଏକ ଚୁକ୍ତି କରାଯାଇଥିବା ଇଶେଦ କହିଛନ୍ତି। ଚୁକ୍ତି ଅନୁସାରେ ଆମେରିକା ସରକାର ଏଲିଅନ୍‌ଙ୍କ ସହିତ ମିଳିତ ଭାବେ ବିଶ୍ୱବ୍ରହ୍ମାଣ୍ଡର ରହସ୍ୟ ଖୋଜିବେ। ଚୁକ୍ତି ଅନ୍ତର୍ଗତ ମଙ୍ଗଳଗ୍ରହରେ ମାଟି ତଳେ ଏକ ଗୁପ୍ତ ଅଡ୍ଡା ନିର୍ମାଣ ମଧ୍ୟ କରାଯାଇଛି। ଟ୍ରମ୍ପ୍‌ଙ୍କ କାର୍ଯ୍ୟକାଳ ସମୟରେ ଏଲିଅନ୍‌ଙ୍କ ସହିତ କେତେକ ଥର ଯୋଗାଯୋଗ ହୋଇଥିବା ଇଶେଦ କହିଛନ୍ତି। ସୂଚନାଯୋଗ୍ୟ, ଇଶେଦ ୨୦୧୧ରେ ଅବସର ଗ୍ରହଣ କରିବା ପରେ ନିଜେ ଲେଖିଥିବା କେତେକ ପୁସ୍ତକରେ ମଧ୍ୟ ଏଲିଅନ୍‌ଙ୍କ ସମ୍ପର୍କରେ ବହୁ ଗୁପ୍ତ ତଥ୍ୟ ସମ୍ପର୍କରେ ଉଲ୍ଲେଖ କରିଛନ୍ତି।

Share