୩୭ ହଜାର ଏଲିୟନ ପ୍ରଜାତି ମାନବ-ପ୍ରକୃତି ପାଇଁ ବିପଦ, ପ୍ରତିବର୍ଷ ୪୨୩ ଅରବ ଡଲାର କ୍ଷତି

ଓ୍ବାଶିଂଟନ,୫।୯: ଏକ ରିପୋର୍ଟରୁ ଜଣାପଡିଛି ଯେ ବିଦେଶୀ ପ୍ରଜାତିଗୁଡିକ (ପ୍ରଜାତିଗୁଡିକ ସ୍ଥାନୀୟ ନୁହଁନ୍ତି ଏବଂ ବିଭିନ୍ନ ଉପାୟରେ ନୂତନ ସ୍ଥାନରେ ପହଞ୍ଚିଛନ୍ତି) ପୃଥିବୀର ଜୈବ ବିବିଧତା ପାଇଁ ବ୍ୟାପକ କ୍ଷତି ଘଟାଇଛି। ପରିସ୍ଥିତି ଏପରି ଯେ ଏହି ବିଦେଶୀ ପ୍ରଜାତି ଯୋଗୁଁ ପୃଥିବୀର ୬୦ପ୍ରତିଶତ ଉଦ୍ଭିଦ ଏବଂ ପଶୁ ପ୍ରଜାତି ବିଲୁପ୍ତ ହୋଇଯାଇଛନ୍ତି। ଏହି ରିପୋର୍ଟ ଏକ ଅନ୍ତର ସରକାରୀ ସଂଗଠନ ‘ଇଣ୍ଟରଗମେଣ୍ଟାଲ ପ୍ଲାଟଫର୍ମ ଅନ ବାୟୋଡାଇଭରସିଟି ଆଣ୍ଡ ଇକୋସିଷ୍ଟମ ସର୍ଭିସେସ’ (ଆଇପିବିଇଏସ) ଦ୍ୱାରା ପ୍ରକାଶିତ ହୋଇଛି। ଏହି ରିପୋର୍ଟର ନାମ ହେଉଛି ‘ଆସେସମେଣ୍ଟ ରିପୋର୍ଟ ଅନ ଇନଭେସିଭ ଏଲିୟନ ସ୍ପିସିଜ ଆଣ୍ଡ ଦେୟାର କଣ୍ଟ୍ରୋଲ।
ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୩୭ ହଜାର ବିଦେଶୀ ପ୍ରଜାତି ଆବିଷ୍କୃତ ହୋଇଛ। ଏଥିରେ ଉଭୟ ଉଦ୍ଭିଦ ଏବଂ ପ୍ରାଣୀମାନଙ୍କର ପ୍ରଜାତି ଅନ୍ତର୍ଭୁକ୍ତ। ସେଥିମଧ୍ୟରୁ ୩୫୦୦ରୁ ଅଧିକ ବିଦେଶୀ ପ୍ରଜାତି ଅଧିକ ଆକ୍ରମଣାତ୍ମକ ବୋଲି ଜଣାପଡିଛି। ସୋମବାର ଏହି ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ଦର୍ଶାଯାଇଛି ଯେ ଜୈବ ବିବିଧତା ହରାଇବା, ଜୀବଜଗତର ଶୋଷଣ, ଜଳବାୟୁ ପରିବର୍ତ୍ତନ, ପ୍ରଦୂଷଣ ଏବଂ ସ୍ଥଳ ଏବଂ ମହାସାଗରର ବ୍ୟବହାରରେ ବିଦେଶୀ ପ୍ରଜାତି ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ କାରଣ। ଏହି ରିପୋର୍ଟରେ କୁହାଯାଇଛି ଯେ, ଶତାବ୍ଦୀ ଧରି ପୃଥିବୀର ସମସ୍ତ ଅଞ୍ଚଳରେ ବିଦେଶୀ ପ୍ରଜାତି ଦ୍ରୁତ ଗତିରେ ବୃଦ୍ଧି ପାଉଛି, କିନ୍ତୁ ନିକଟ ଅତୀତରେ ଏହା ଏକ ଅପ୍ରତ୍ୟାଶିତ ଢଙ୍ଗରେ ତ୍ୱରାନ୍ବିତ ହୋଇଛି। ଏହାର ମୁଖ୍ୟ କାରଣ ହେଉଛି ମଣିଷମାନେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାତ୍ରା କରିବା, ବାଣିଜ୍ୟ ଏବଂ ବିଶ୍ୱ ଅର୍ଥନୀତିର ବିସ୍ତାର।

Share