କୁକୁରଙ୍କୁ ମିଳିବ ଭରଣପୋଷଣ: କୋର୍ଟଙ୍କ ନିର୍ଦ୍ଦେଶ…

ମୁମ୍ବାଇ,୧୧।୭ : ଏକ ଘରୋଇ ହିଂସା ମାମଲାରେ ମୁମ୍ବାଇର ଏକ କୋର୍ଟ କହିଛନ୍ତି ଗୃହପାଳିତ ପ୍ରାଣୀମାନେ ଲୋକଙ୍କୁ ସୁସ୍ଥ ଜୀବନଯାପନ କରିବାରେ ସାହାଯ୍ୟ କରନ୍ତି ଏବଂ ସମ୍ପର୍କର ଦ୍ୱନ୍ଦ୍ୱ କାରଣରୁ ଉପୁଜୁଥିବା ଭାବପ୍ରବଣତାକୁ ଦୂର କରିବାରେ ସାହାଯ୍ୟ କରନ୍ତି। ଏହି ପରିପ୍ରେକ୍ଷୀରେ, ସ୍ବାମୀଙ୍କଠାରୁ ଅଲଗା ରହୁଥିବା ଜଣେ ମହିଳା ଭରଣପୋଷଣ ଦାବି କରିଥିଲେ ଯେଉଁଥିରେ ସେ କହିଥିଲେ ତାଙ୍କର ତିନି କୁକୁର ମଧ୍ୟ ତାଙ୍କ ଉପରେ ନିର୍ଭରଶୀଳ।

ଏହି ମାମଲାରେ ବାନ୍ଦ୍ରା କୋର୍ଟର ମାଜିଷ୍ଟ୍ରେଟ କୋମଲ ସିଂ ରାଜପୁତ ତାଙ୍କ ମଧ୍ୟବର୍ତ୍ତୀ ଆଦେଶରେ ଜୁନ ୨୦ରେ ଏହି ବ୍ୟକ୍ତିଙ୍କୁ ତାଙ୍କ ସ୍ତ୍ରୀଙ୍କୁ ଭରଣ ପୋଷଣ ବାବଦରେ ୫୦ ହଜାର ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। କୁକୁରମାନଙ୍କୁ ଭରଣ ପୋଷଣ ନ ଦେବା ଯୁକ୍ତିକୁ ସେ ଖାରଜ କରି କହିଛନ୍ତି ଗୃହପାଳିତ ପ୍ରାଣୀମାନେ ମଧ୍ୟ ସଭ୍ୟ ଜୀବନଶୈଳୀର ଏକ ଅବିଚ୍ଛେଦ୍ୟ ଅଙ୍ଗ। ମନୁଷ୍ୟର ସ୍ବାସ୍ଥ୍ୟ ଜୀବନ ପାଇଁ ଗୃହପାଳିତ ପ୍ରାଣୀମାନଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେମାନେ ଭଙ୍ଗା ସମ୍ପର୍କର ଭାବପ୍ରବଣ ଶୂନ୍ୟସ୍ଥାନକୁ ଦୂର କରିବାରେ ସାହାଯ୍ୟ କରନ୍ତି ।

ମହିଳା କୋର୍ଟଙ୍କୁ କହିଥିଲେ, ସେ ବେଙ୍ଗାଲୁରୁର ଜଣେ ବ୍ୟବସାୟୀଙ୍କୁ ସେପ୍ଟେମ୍ବର ୧୯୮୬ ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ସେମାନଙ୍କ ମଧ୍ୟରେ ଝଗଡା ଆରମ୍ଭ ହେଲା ଏବଂ ୨୦୨୧ ମସିହାରେ ବ୍ୟବସାୟୀ ତାଙ୍କୁ ମୁମ୍ବାଇ ପଠାଇଲେ। କୋର୍ଟରେ ଦାଖଲ ହୋଇଥିବା ଆବେଦନ ଅନୁଯାୟୀ ବ୍ୟବସାୟୀ ପତ୍ନୀଙ୍କୁ ଭରଣ ପୋଷଣ ଦେବାକୁ ନିଶ୍ଚିତ କରିଥିଲେ ମଧ୍ୟ ସେ ଦେଇଥିବା ପ୍ରତିଶ୍ରୁତି ପାଳନ କରି ନ ଥିଲେ। ମହିଳା ଜଣକ ବ୍ୟବସାୟୀଙ୍କୁ ଘରୋଇ ହିଂସା ଅଭିଯୋଗ ମଧ୍ୟ କରିଥିଲେ।

ମହିଳା ଜଣକ ପିଟିଶନରେ କହିଥିଲେ ସେ ଅସୁସ୍ଥ ଅଛନ୍ତି ଏବଂ ରୋଜଗାରର କୌଣସି ଉତ୍ସ ନାହିଁ। ଏହା ବ୍ୟତୀତ ତିନୋଟି କୁକୁର ମଧ୍ୟ ତାଙ୍କ ସହ ରୁହନ୍ତି, ଯାହାର ଦାୟିତ୍ୱ କେବଳ ତାଙ୍କ ଉପରେ।

Share